ରକ୍ଷଣାବେକ୍ଷଣା ଅଭାବରୁ ହରାଇଲାଣି ସତ୍ତା, ଜରାଜୀର୍ଣ୍ଣ ଅବସ୍ଥାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର

1 min read

ନନ୍ଦିଘୋଷ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିଲା ପଥପ୍ରାନ୍ତ ସୁବିଧାକେନ୍ଦ୍ର । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ୪ ମାସ ହେବ ବନ୍ଦ ହୋଇ ପଡିଛି । ଫଳରେ ପଥଚାରୀ ଓ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କାମରେ ଆସୁନି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ରକ୍ଷଣାବେକ୍ଷଣା ଅଭାବରୁ ହରାଇଲାଣି ସତ୍ତା । ୪ ମାସ ହେବ ବନ୍ଦ ହୋଇପଡିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଚାରିଆଡେ ମାଡିଗଲାଣି ଗଛ । ଏ ହେଉଛି ବଲାଙ୍ଗୀର ଜିଲ୍ଲା  ବଙ୍ଗୋମୁଣ୍ଡା -କଣ୍ଟାବାଞ୍ଜି ୪୨ନଂ ରାଜ୍ୟ ରାଜପଥର କୁଦୋଭଟା ନିକଟରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର ଦୃଶ୍ଯ । ପଥଚାରୀଙ୍କ ସୁବିଧା ପାଇଁ ୨୦୧୮ ମସିହାରେ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଏହି ସୁବିଧା କେନ୍ଦ୍ର ଆରମ୍ଭ ହୋଇଥିଲା । ଏହି କେନ୍ଦ୍ରରେ ଶୌଚାଳୟ, ପାର୍କିଂ, ଶିଶୁ ଉଦ୍ୟାନ, ପିଇବାପାଣି ଆଦି ଅନେକ ସୁବିଧା ଥିଲା । ହେଲେ କୌଣସି କାରଣ ବଶତଃ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ୪ମାସ ହେଲା ବନ୍ଦ ହୋଇ ପଡିରହିଛି । ଫଳରେ ସାଧାରଣ ଲୋକଙ୍କ ସମେତ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

୨୦୧୮ରୁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଆରମ୍ଭ ହେବା ପରେ ୧୩ ଜଣ କର୍ମଚାରୀ ଏଠାରେ ନିଯୁକ୍ତି ପାଇଥିଲେ । ୨୦୨୦ ମସିହାରୁ ୨୦୨୪ ଜୁନ ମାସ ପର୍ଯ୍ୟନ୍ତ ୬ ଜଣ କର୍ମଚାରୀ ଏଠାରେ କାମ କରୁଥିଲେ । ହେଲେ ୪ ମାସ ହେଲା ପଥପ୍ରାନ୍ତ କେନ୍ଦ୍ର ବନ୍ଦ ଥିବାରୁ କର୍ମଚାରୀ ମାନେ କାମ ହରାଇ ଘରେ ବସିଛନ୍ତି । ଏବଂ କିଛି କର୍ମଚାରୀମାନେ ନିଜର ବକେୟା ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି । ଏଥିସହିତ ସାଧାରଣ ଜନତା ମଧ୍ଯ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଅତିଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ କାର୍ଯ୍ଯକ୍ଷମ କରାଯିବ ବୋଲି କହିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ ।