ବାନ୍ଧବୀର ଭାବି ସ୍ବାମୀଙ୍କ ପାଖକୁ ଯୁବତୀ ପଠାଇଲେ ଅଶ୍ଳିଳ ଫଟୋ, ତା’ପରେ…

କାନପୁର: କଥାରେ ଅଛି ଶହେ ଶତ୍ରୁଙ୍କଠାରୁ ଜଣେ ବିଶ୍ବାସଘାତକ ସାଙ୍ଗ ଭୟଙ୍କର । ଏହି କଥା କାନପୁରରେ ହୋଇଛି ସତ । ଜଣେ ଯୁବତୀଙ୍କ ବିବାହ ଠିକ ହୋଇ ସାରିଥିବା ବେଳେ ଭାବି ସ୍ବାମୀଙ୍କ ପାଖକୁ ଯୁବତୀଙ୍କ ବାନ୍ଧବୀ ଅଶ୍ଳିଳ ଫଟୋ ପଠାଇ ବାହାଘର ଭାଙ୍ଗିବାକୁ କରିଥିଲେ ଚେଷ୍ଟା । ହେଲେ ଯୁବକ ଜଣଙ୍କ ଉକ୍ତ ଫଟୋକୁ ବିଶ୍ବାସ ନକରି ଭାବି ପତ୍ନୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏହାସହ ପୋଲିସରେ ଏତଲା ଦେଇଥିଲେ । ଘଟଣା କାନପୁରର ବାଦଶାହୀ ନାକା ଅଞ୍ଚଳର ।

ସୂଚନା ଅନୁସାରେ ଦୁଇ ଯୁବତୀ ଡିଗ୍ରୀ କଲେଜରେ ଏକାଠି ପଢ଼ନ୍ତି । ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ଥିଲା । ଦେଢ଼ ମାସ ପୂର୍ବରୁ ଜଣଙ୍କର ବିବାହ ଠିକ ହୋଇଥିଲା । ମଙ୍ଗନ କାର୍ଯ୍ୟକ୍ରମରେ ମଧ୍ୟ ଯୁବତୀ ଜଣଙ୍କ ସାମିଲ ହୋଇଥିଲେ । ମଙ୍ଗନ ଉତ୍ସବରେ ଭରପୂର ମଜା ଉଠାଇବା ସହ ସାଙ୍ଗର ବହୁତ ଫଟୋ ଉଠାଇଥିଲେ । ହେଲେ ସେ ଏହି ଫଟୋ କ’ଣ କରିବ ତାହା ତାଙ୍କ ବାନ୍ଧବୀଙ୍କୁ ଜଣା ନଥିଲା ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ସତ ପଦାକୁ ଆସିଥିଲା । ଘଟଣା ଜଣାପଡ଼ିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ହେଲେ ଅଭିଯୋଗ କରିଥିବା ଭାବି ଦମ୍ପତି ଯୁବତୀଙ୍କୁ କ୍ଷମା କରିଦେଇଥିଲେ ।