ବୋହୂ ରୁମରେ ମାସ୍କ ନପିନ୍ଧି ବୁଲୁଥିଲେ ଶାଶୂ, ଶ୍ୱଶୁର ଓ ନଣନ୍ଦ ! ହେଲା ଏମିତି…

କାନପୁର: କରୋନାରୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଦିନକୁ ଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସାମ୍ନାକୁ ଆଶ୍ଚର୍ଯ୍ୟକର ଘଟଣା । ଏହା ଏମିତି ଏକ ଘଟଣା ଯାହା ପଢ଼ିଲା ପରେ ଆପଣ ହଇରାଣରେ ପଡ଼ିଯିବେ । ଯେଉଁଠି ଶ୍ୱଶୁର ଘର ଲୋକ ମାସ୍କ ନପିନ୍ଧି ବୋହୂ କଠୋରୀକୁ ଯାଇଥିବାରୁ ଆଇନର ଫାଶରେ ଛନ୍ଦି ହୋଇଯାଇଛନ୍ତି । ବୋହୂ ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କ ନାଁରେ ମାମଲା ରୁଜୁ କରିଛି । ଏଭଳି ଘଟଣା ହେଉଛି ଉତ୍ତରପ୍ରଦେଶ କାନପୁର ସ୍ଥିତି ଜୁହି ଥାନା ଅଞ୍ଚଳର । ଦୀପିକା ଗୁପ୍ତା ନାମକ ମହିଳା ଥାନାରେ ଶ୍ୱଶୁର ଘର ଲୋକଙ୍କ ନାଁରେ ମହାମାରୀ ଧାରାରେ ମାମଲା ରୁଜୁ କରିଛି ।

ପୋଲିସ ସୂଚନା ଅନୁଯାୟୀ, ଥାନାରେ ଏଭଳି ମାମଲା ରୁଜୁ ହେବା ପ୍ରଥମ । ପୀଡ଼ିତା ଅଭିଯୋଗ କରିଛନ୍ତି ଶାଶୂ, ଶ୍ୱଶୁର ଓ ନଣନ୍ଦ ମାସ୍କ ନପିନ୍ଧି ରୁମ୍ ଭିତରେ ପଶି ତାଙ୍କୁ ମାରଧର୍ କରିଥିଲେ । କରୋନା ପାଇଁ ସାମାଜିକ ଦୂରତା ରକ୍ଷା କଥା କୁହାଯାଉଥିଲେ ହେଁ କେହି ବି ମାନିନଥିଲେ । ବରଂ ମାସ୍କ ନି ପିନ୍ଧି ମାଡ଼ ମାରିଥିବା ନେଇ ବୋହୂ ଅଭିଯୋଗ କରିଛନ୍ତି । କରୋନା ସଂକ୍ରମଣ ପ୍ରତି ଅଭିଯୋଗକାରିଣୀଙ୍କ ସଚେତନତା ଦେଖି ପୋଲିସ ଘରୋଇ ହିଂସା ଓ ମହାମାରୀ ଆକ୍ଟରେ ମାମଲା ରୁଜୁ କରିଛି । କାନପୁରରେ ଏଭଳି ମାମଲା ପ୍ରଥମ । ଅନ୍ୟପଟେ ବୋହୂ ଧମକାଉଥିବା ଅଭିଯୋଗ କରି ଶ୍ୱଶୁର ଘର ଲୋକ ପାଲଟା ଅଭିଯୋଗ କରିଛନ୍ତି ।

ଜୁହି ଥାନା ବାସନ୍ତୀ ନଗରର ଦୀପିକା ଗୁପ୍ତା ରବିବାର ଏନେଇ ପୋଲିସ ଅଭିଯୋଗ କରିଥିଲେ । ପୂର୍ବରୁ ସେ ଉତ୍ପୀଡ଼ନ ନେଇ ଅଭିଯୋଗ କରିଥିଲେ । ଯାହାକୁ ଶ୍ୱଶୁର ଘର ଲୋକ ବିରୋଧ କରିବା ସହ ମାମଲା ଫେରାଇ ନେବାକୁ ଚାପ ପକାଉଥିଲେ । ସ୍ୱାମୀ ବିରୋଧ କରିବାରୁ ଶ୍ୱଶୁର ଘର ଲୋକ ତାଙ୍କୁ ମାରୁଥିବା ସେ ଅଭିଯୋଗ କପିଥିଲେ । ଜୁନ୍ ୨୭ ତାରିଖ ସକାଳେ ବୋହୂ ନିଜ ରୁମରେ ଥିବା ବେଳେ ଶାଶୂ ରୀତା ଗୁପ୍ତା, ଶ୍ୱଶୁର ଅନିଲ ଗୁପ୍ତା, ନଣନ୍ଦ ଏକତା ଶ୍ରୀବାସ୍ତବ, ନଣନ୍ଦେଇ ସତ୍ୟପ୍ରକାଶ ପ୍ରମୁଖ ଆସିଥିଲେ ।

କେସ୍ ଫେରାଇ ନେବାକୁ ଚାପ ପ୍ରୟୋଗ କରିଥିଲେ । ମାମଲା ଫେରାଇ ନଆଣିଲେ ମାରିଦେବାକୁ ଧମକ ଦେବା ସହ ଠେଙ୍ଗାରେ ପିଟିଥିଲେ । ସମସ୍ତେ କରୋନା କଟକଣାର ଉଲ୍ଲଂଘନ କରିଥିଲେ । କେହି ବି ଶାରିରୀକ ଦୂରତା ରକ୍ଷା କରି ନଥିଲେ ନା କେହି ମାସ୍କି ପିନ୍ଧିଥିଲେ । କାନପୁର ପୋଲିସ ଏବେ ମାମଲାର ତଦନ୍ତ କରୁଛି । ଘରୋଇ ହିଂସା ସହ ମହାମାରୀ ଧାରାର ଉଲ୍ଲଂଘନର ତଦନ୍ତ ଚାଲିଛି ।

Leave a Reply