ବର୍ଷକ ମଧ୍ୟରେ ୨୭ ଥର ଦୁବାଇ ଯାଇଥିଲେ ରାନ୍ୟା ରାଓ : ସାମ୍ନାକୁ ଆସିଲା ବଡ଼ ରହସ୍ୟ

1 min read

ଗୋଲ୍ଡ ସ୍ମଗଲିଂ ଅଭିଯୋଗରେ ବେଙ୍ଗାଲୁରୁ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗିରଫ ହୋଇଥିବା କନ୍ନଡ଼ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି । ଗିରଫଦାରୀ ପରେ ରାନ୍ୟାଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏହି ମାମଲାରେ ଆର୍ଥିକ ଅପରାଧ ଅଦାଲତ ତାଙ୍କର ଜାମିନ ଯାଚିକା ଉପରେ ନିଷ୍ପତ୍ତି ସୁରକ୍ଷିତ ରଖିଛନ୍ତି । ଏହାଫଳରେ ରାନ୍ୟାଙ୍କର ଆଇନଗତ ସ୍ଥିତି ବର୍ତ୍ତମାନ ଅଧାରେ ଝୁଲି ରହିଛି । ଡାଇରେକ୍ଟୋରେଟ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ତରଫରୁ ରାନ୍ୟାଙ୍କ ବିରୋଧରେ ଅଣାଯାଇଛି ଏକ ବଡ଼ ଅଭିଯୋଗ । ଚଳିତ ବର୍ଷ ରାନ୍ୟା ୨୭ ଥର ଦୁବାଇ ଯାତ୍ରା କରିଥିଲେ, ଯାହାକି ତାଙ୍କ ବିରୋଧରେ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରୁଛି । କୋର୍ଟରେ ଶୁଣାଣି ସମୟରେ DRIର ଓକିଲ କହିଥିଲେ, ଏହି ପୂରା ମାମଲାକୁ ସଠିକ ଭାବେ ବୁଝିବା ପାଇଁ ରାନ୍ୟାଙ୍କ କଷ୍ଟଡି ବହୁତ ଜରୁରୀ । ପ୍ରାଟୋକଲ ଉଲ୍ଲଂଘନ କିପରି ହୋଇଥିଲା ଓ ଗୋଲ୍ଡ ସ୍ମଗଲିଂର ଷଡ଼ଯନ୍ତ୍ର କିଏ ରଚିଥିଲା ତା ଉପରେ ମଧ୍ୟ ଓକିଲ କହିଥିଲେ ।

ଅନ୍ୟପକ୍ଷରେ DRIର ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାନ୍ୟାଙ୍କ ଓକିଲ । ସେ କହିଛନ୍ତି, ଯେତେବେଳେ ଏଜେନ୍ସିକୁ ପ୍ରଥମେ ପଚରାଉଚରା କରିବାର ଥିଲା, ସେ ସମୟରେ ତାହା କରାନଯାଇ ରାନ୍ୟାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ଏବେ ରାନ୍ୟାଙ୍କର କଷ୍ଟଡି ଦାବି କରାଯାଉଛି, ଯାହାକି ଅତ୍ୟନ୍ତ ସନ୍ଦେହଜନକ । ତାଙ୍କର ଲାପଟପକୁ ପୂର୍ବରୁ ଜବତ କରାଯାଇଛି, ଯାହାର ଡାଟା ଏଜେନ୍ସି ପାଖରେ ରହିଛି । ଏପରି ସ୍ଥିତିରେ ଦ୍ବିତୀୟ ଥର କଷ୍ଟଡିର କାହିଁକି ଆବଶ୍ୟକତା ପଡ଼ିଲା, ତାହା ବୁଝା ପଡ଼ୁନି ବୋଲି ରାନ୍ୟାଙ୍କ ଓକିଲ କହିଛନ୍ତି ।