ବିଚାରପତିଙ୍କ ବିରୋଧରେ ମାନହାନିକର ପୋଷ୍ଟ କରି ଗିରଫ ହେଲେ କନ୍ନଡ ଅଭିନେତା

1 min read

ବେଙ୍ଗାଲୁରୁ: ମହଙ୍ଗା ପଡିଲା ଟ୍ୱିଟ୍ । ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ମାନହାନିକର ଟ୍ୱିଟ୍ ପୋଷ୍ଟ କରି ଗିରଫ ହୋଇଛନ୍ତି କନ୍ନଡ ଅଭିନେତା ତଥା ସାମାଜିକ କର୍ମୀ ଚେତନ କୁମାର ଅହିଂସା । ତାଙ୍କ ବିରୋଧରେ ଶେଷାଦ୍ରୀପୁରମ ଥାନାରେ ଆଇପିସିର ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ସିଟି ପୋଲିସ । ଚେତନଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଡେପୁଟି ପୋଲିସ କମିଶନର ଏମ.ଏନ. ଅନୁଚେଠ ।

ହିଜାବ ମାମଲାର ବିଚାର କରୁଥିବା ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବାରୁ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିଲା । ସେପଟେ ବଜରଙ୍ଗୀ କର୍ମୀ ହର୍ଷ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୬ ଜଣ ଗିରଫ ହୋଇସାରିଛନ୍ତି । ଏହି ସମସ୍ତ ୬ ଜଣଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି ବୋଲି କହିଛି ପୋଲିସ । ଏହା ସହ ହତ୍ୟା ମାମଲାରେ ପୋଲିସ ଆହୁରି ୧୨ ଜଣଙ୍କୁ ଅଟକ ରଖିଛି । ପୋଲିସର କହିବା ଅନୁସାରେ ଗିରଫ ୬ ଜଣଙ୍କ ମଧ୍ୟରୁ ୩ ଜଣ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ସମସ୍ତ ଅଭିଯୁକ୍ତଙ୍କ ଘର ଶିବମୋଗାରେ ।

ସେପଟେ ଉତ୍ତେଜନା ଥମୁନଥିବାରୁ ଶିବମୋଗାରେ କର୍ଫ୍ୟୁ ଅବଧି ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତ ରବିବାର ରାତିରେ ଟେଲର କାମ କରୁଥିବା ହର୍ଷ ନାମକ ଜଣେ ବଜରଙ୍ଗୀ କର୍ମୀଙ୍କୁ ହତ୍ୟା କରିବା ପରଠାରୁ ଶିବମୋଗାରେ ଜାରି ରହିଛି ଉତ୍ତେଜନା । ଏହି ହତ୍ୟା ଘଟଣା ସହ ହିଜାବ ମାମଲାର କୌଣସି ସମ୍ପର୍କ ନାହିଁ ବୋଲି ଖୋଦ୍ ଗୃହମନ୍ତ୍ରୀ କହୁଥିବାବେଳେ ଅନ୍ୟ ଜଣେ ମନ୍ତ୍ରୀ ଏହାକୁ ଖଣ୍ଡନ କରୁଛନ୍ତି ।

Leave a Reply