କଂଗ୍ରେସରେ ଯୋଗଦେଲେ ସିପିଆଇ ନେତା କହ୍ନେୟା କୁମାର ଓ ବିଧାୟକ ଜିଗ୍ନେଶ ମେଓ୍ୱାନି

ନୂଆଦିଲ୍ଲୀ: କଂଗ୍ରେସରେ କମ୍ରେଡ୍‌ । ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେଲେ କହ୍ନେୟା କୁମାର । କଂଗ୍ରେସରେ ଆନୁଷ୍ଠନିକ ଭାବେ ସାମିଲ ହୋଇଛନ୍ତି ଜେଏନୟୁର ପୂର୍ବତନ ଛାତ୍ରସଂସଦ ସଭାପତି କହ୍ନେୟା କୁମାର ଓ ଗୁଜରାଟର ସ୍ବାଧୀନ ବିଧାୟକ ତଥା ଦଳିତ ନେତା ଜିଗନେଶ ମେଓ୍ବାନି । ଆଜି ଆନୁଷ୍ଠାନିକ ଭାବେ ଉଭୟ କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ହାତ ଧରିଛନ୍ତି ଦୁଇ ଯୁବନେତା । ରାହୁଲ ଗାନ୍ଧୀଙ୍କ ସହ ଦିଲ୍ଲୀ ଆଇଟିଓଠାରେ ପହଞ୍ଚି ଉଭୟ ସହିଦ ଭଗତ ସିଂଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଦଳରେ ସାମିଲ ହୋଇଛନ୍ତି। ଏଥିପାଇଁ ଏଆଇସିସି ମୁଖ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ରାହୁଲଙ୍କ ଗାନ୍ଧିଙ୍କ ସମେତ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା, ବରିଷ୍ଠ ନେତା କେକେ ବେଣୁଗୋପାଲ ଓ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ। ଦୁଇ ଯୁବନେତାଙ୍କୁ ସ୍ବାଗତ ପାଇଁ ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ବାହାରେ ପୋଷ୍ଟର, ବ୍ୟାନର ଛାଇ ଯାଇଥିଲା। ତେବେ ଦଳରେ କହ୍ନେୟା ଓ ଜିଗନେଶଙ୍କ ଭୂମିକାକୁ ନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନଥିବା ବେଳେ ଏମାନଙ୍କୁ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।

ବିହାରରେ କହ୍ନେୟା ଓ ଗୁଜରାଟରେ ଜିଗନେଶଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ ଦେଇପାରନ୍ତି କଂଗ୍ରେସ ହାଇକମାଣ୍ଡ। ପୂର୍ବରୁ କହ୍ନେୟା କୁମାର ବାମଦଳ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିବା ବେଳେ ଜିଗନେଶ ଗୁଜରାଟର ସ୍ବାଧୀନ ବିଧାୟକ ଅଛନ୍ତି । କଂଗ୍ରେସରେ ସାମିଲ ହେବା ପରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଉଭୟ କହ୍ନେୟା କୁମାର ଓ ଜିଗନେଶ ମେଓ୍ବାନି ସାମିଲ ହୋଇଥିଲେ । କହିଥିଲେ, କେତେଜଣ ଲୋକଙ୍କ ଖରାପ ଚିନ୍ତାଧାରା ଯୋଗୁ ଦେଶର ସଂସ୍କୃତି, ପରମ୍ପରା, ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତ ନଷ୍ଟ ହେବାକୁ ବସିଛି । ଦେଶର ସବୁଠୁ ପୁରୁଣା ତଥା ସର୍ବବୃହତ୍ ଲୋକତାନ୍ତ୍ରିକ ଦଳରେ ଯୋଗଦେଇ ଦେଶରେ ଏକତା ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବେ ବୋଲି କହ୍ନେୟା କୁମାର କହିଛନ୍ତି ।

Leave a Reply