ଭାଇରାଲ ହେଉଛି କଙ୍ଗନାଙ୍କ ପୁରୁଣା ଟ୍ବିଟ, କହିଥିଲେ ମୁଁ ହିମାଚଳରୁ ନିର୍ବାଚନ ଲଢ଼ିବିନି…

ନନ୍ଦିଘୋଷ ବ୍ୟୁରୋ: ଏବେ ବଲିଉଡ୍ କୁଇନ୍ ରାଜନୀତିରେ ପ୍ରବେଶ କରିସାରିଛନ୍ତି । ନିଜର ଅଜବ ପ୍ରକାର ଟପ୍ପଣୀ ଏବଂ ରୋକ୍ ଠୋକ କଥା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାଓ୍ବନ ଏବେ ନିର୍ବାଚନ ଲଢ଼ିବେ । ସେ ବିଜେପି ଟିକେଟରେ ହିମାଚଳ ପ୍ରଦେଶ ମଣ୍ଡିରୁ ନିର୍ବାଚନ ଲଢ଼ିବେ ବୋଲି ବିଜେପି ତାର ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି ।

ପୂର୍ବବର୍ଷ କଙ୍ଗନା ଏ ନେଇ ସୂଚନା ବି ଦେଇଥିଲେ । ଏବେ କଙ୍ଗନାଙ୍କୁ ମଣ୍ଡିର ଟିକେଟ ମିଳିବା ପରେ ପୂରୁଣା ଟ୍ବିଟ ଭାଇରାଲ ହେଉଛି । ଏହି ଟ୍ବିଟରେ କଙ୍ଗନା କହିଥିଲେ ଯେ, ସେ ହିମାଚଳରୁ ନୁହେଁ ଅନ୍ୟ କେଉଁ ସ୍ଥାନରୁ ନିର୍ବାଚନ ଲଢ଼ିବେ । ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହେବାର ମାତ୍ର କେଇ ଘଣ୍ଟା ଭିତରେ ତାଙ୍କର ଏହି ପୁରୁଣା ଟ୍ବିଟ୍ ଭାଇରାଲ ହୋଇଛି । ଟ୍ବିଟରେ ସେ କହିଥିଲେ ଯେ, ହିମାଚଳ ପ୍ରଦେଶର ଜନସଂଖ୍ୟା ପ୍ରାୟ ୬୦ରୁ ୭୦ ଲକ୍ଷ । ସେଠାରେ ଗରିବୀ ନାହିଁ ନା ସେଠାରେ ଅପରାଧ ଘଟୁଛି । ଏଥିପାଇଁ ମୁଁ ସେଠାରୁ ନିର୍ବାଚନ ନ ଲଢ଼ି ଅନ୍ୟ କୌଣସି ସ୍ଥାନରୁ ଲଢ଼ିବି । ଏହି କଥାକୁ ନେଇ ୟୁଜର ରିଟ୍ବିଟ କରି କରିଛନ୍ତି । ୟୁଜରଙ୍କ ମଧ୍ୟରେ ଏକ ପ୍ରକାର ଟ୍ବିଟ ଯୁଦ୍ଧ ଆରମ୍ଭ ହୋଇଯାଇଛି ।