ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ କଙ୍ଗନାଙ୍କୁ ଝଟକା, ମାନହାନି ମାମଲାର ପୁଣି ଆରମ୍ଭ ହେବ ଟ୍ରାଏଲ୍

1 min read

ନନ୍ଦିଘୋଷ ବ୍ୟୁରୋ: ବଲିଉଡ଼ ଅଭିନେତ୍ରୀ ଏବଂ ବିଜେପି ସାଂସଦ କଙ୍ଗନା ରଣାବତଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଲାଗିଛି ବଡ଼ ଝଟକା । ୨୦୨୧ରେ ବଠିଣ୍ଡାରେ ତାଙ୍କ ବିରୋଧରେ ଦାୟର ମାନହାନୀ ମକଦ୍ଦମାକୁ ରଦ୍ଦ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି । କୋର୍ଟଙ୍କ ଏହି ରାୟ ପରେ ବନ୍ଦ ଥିବା ଟ୍ରାଏଲ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ।

ସୂଚନାଯୋଗ୍ୟ, ୨୦୨୦-୨୧ ଚାଷୀ ଆନ୍ଦୋଳନ ସହ ଏହି ମାମଲା ଜଡ଼ିତ । ସେହି ସମୟରେ କଙ୍ଗନା ସୋସିଆଲ ମିଡିଆରେ ବଠିଣ୍ଡାର ମୋହିନ୍ଦର କୌରଙ୍କ ଫଟୋ ପୋଷ୍ଟ କରିଥିଲେ । ଏଥିରେ ସେ ଦାବି କରିଥିଲେ କି ଆନ୍ଦୋଳନରେ ସାମିଲ ହେବାକୁ ମହିଳାଙ୍କୁ ଟଙ୍କା ଦିଆଯାଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଥିଲା । ଏପରିକି ମୋହିନ୍ଦର କୌର ୨୦୨୧ ଜାନୁଆରୀରେ କଙ୍ଗନାଙ୍କ ବିରୋଧରେ ବଠିଣ୍ଡାର ସ୍ଥାନୀୟ କୋର୍ଟରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ । କଙ୍ଗନାଙ୍କ ପୋଷ୍ଟ ତାଙ୍କ ସମ୍ମାନହାନୀ କରିବା ସହ ସାର୍ବଜନୀନ ସ୍ତରରେ ତାଙ୍କୁ ଅପମାନିତ କରିଛି ବୋଲି ସେ ଅଭିଯୋଗ କରିଥିଲେ ।

ଏହି ମାମଲାକୁ ରଦ୍ଦ କରିବାକୁ କଙ୍ଗନା ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ଯାଇଥିଲେ । ତାଙ୍କ ବୟାନ ସାମାନ୍ୟ ଟିପ୍ପଣୀ ଥିଲା ଓ ଏଥିରେ କାହାରିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟ ନଥିଲା ବୋଲି କଙ୍ଗନା ଯୁକ୍ତି ରଖିଥିଲେ । ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ୨୦୨୧ରୁ ବନ୍ଦ ଥିବା ଟ୍ରାଏଲ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ତେବେ କୋର୍ଟଙ୍କ ସମ୍ପୂର୍ଣ୍ଣ ନିଷ୍ପତ୍ତି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜାରି କରାଯାଇନାହିଁ । ଏଥିପାଇଁ କଙ୍ଗନାଙ୍କ ଆବେଦନ ଖାରଜ କରାଯିବା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।