ଷ୍ଟ୍ରବେରୀ ଦେଖାଇଛି ଜୀବନ ଜିଇଁବାର ବାଟ

କନ୍ଧମାଳ: ଷ୍ଟ୍ରବେରୀ ଦେଖାଇଛି ଜୀବନ ଜିଇଁବାର ବାଟ । ମିଶନ ଶକ୍ତି ସହାୟତାରେ ବୃନ୍ଦାବତୀ ସ୍ବୟଂ ସହାୟିକା ଗୋଷ୍ଠୀର ଆଦିବାସୀ ମହିଳା ଷ୍ଟ୍ରବେରୀ ଚାଷ କରି ଲାଭାନ୍ବିତ ହେବା ସହ ନିଜେ ନିଜକୁ ସ୍ବାବଲମ୍ବୀ କରିବାରେ ସକ୍ଷମ ହୋଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ସହଯୋଗକୁ ସାଧୁବାଦ ଜଣାଇଛନ୍ତି ।

ଲାଲ ଟହ ଟହ ଷ୍ଟ୍ରବେରୀ  । ଛୋଟ ଛୋଟ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ଭିନ୍ନ ଏକ ଚାଷ ଆଜି ମହିଳିଳାଙ୍କୁ କରିଛି ସ୍ବାବଲମ୍ବୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ଆଜି ଲାଭବାନ ହୋଇପାରିଛନ୍ତି ।  ବରିପଡ଼ା ନିକଟରେ ଅଢେଇ ଏକର ଜମିରେ ୫୫ ହଜାର ଚାରା ରୋପଣ କରି ଷ୍ଟ୍ରବେରୀ ଚାଷ କରିଛନ୍ତି ଏହି ଏସଏଚଜି ମହିଳା । କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବ୍ଲକ୍ ପ୍ରଶାସନର ସହଯୋଗରେ ଏବେ କ୍ଷେତରେ ଫଳୁଛି ଲାଲ୍ ଲାଲ୍ ଷ୍ଟ୍ରବେରୀ । ଏହାକୁ ବିକ୍ରି କରି ମହିଳା ଗୋଷ୍ଠୀ ଆତ୍ମସନ୍ତୋଷ ଲାଭ କରିବା ସହ ବେସ ଲାଭବାନ ହୋଇପାରିଛନ୍ତି । କର୍ମ ନିଯୁକ୍ତିର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।

ଷ୍ଟ୍ରବେରୀ କଣ ଅଞ୍ଚଳବାସୀ ଜାଣିନଥିଲେ । ହେଲେ ରାଜ୍ୟ ସରକାରୀ ପ୍ରୋତ୍ସାହନ ଯୋଗୁ  ସିନ୍ଦ୍ରିଗାଁରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଦୃଷ୍ଟି ଓ ବ୍ଲକ୍ ପ୍ରଶାସନର ପ୍ରତ୍ୟକ୍ଷ ତତ୍ବାବଧାନରେ ଉନ୍ନତମାନର ଜ୍ଞାନକୌଶଳ ଶିକ୍ଷାଦାନ ଯୋଗୁଁ ଏହା ସଫଳ ହୋଇପାଛି । ଗ୍ରାମାଞ୍ଚଳର ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।