କଣାସ ଝାଡ଼ାବାନ୍ତି ମୃତ୍ୟୁ ପ୍ରସଙ୍ଗ, ପଦାକୁ ଆସିଲା ଗୁରୁତର ଅବହେଳାର ଚିତ୍ର

ନନ୍ଦିଘୋଷ ବ୍ୟୁରୋ: ହେୟଜ୍ଞାନ କଲେ, ମିଛ କହିଲେ ଓ ଶେଷରେ କମିଶନଙ୍କ ନିର୍ଦ୍ଦେଶକୁ ବି ବେଖାତିର କଲେ । ଦୂଷିତ ଜଳ ବ୍ୟବହାର କରି ଝାଡ଼ାବାନ୍ତିରେ ମୃତ୍ୟୁ ପ୍ରସଙ୍ଗ ନେଇ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିରୋଧୀ । କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରି ଅଞ୍ଚଳର ୧୫୩ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ, ହେଲେ ନିଦାବିଷ୍ଣୁ ସାଜିଲେ ସରକାର । ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ କରିଛନ୍ତି କଡ଼ା ସମାଲୋଚନା ।
ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତିଜନିତ ମୃତ୍ୟୁ ପ୍ରସଙ୍ଗ । ସରକାର ଜାଣିଶୁଣି କରିଥିଲେ ଅବହେଳା । ମେ’ ୩୦ରେ ଦୂଷିତ ଜଳପ୍ରବଣ କଣାସ, ସତ୍ୟବାଦୀ ଓ ବ୍ରହ୍ମଗିରିର ୧୫୩ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଭାଗ୍ୟର କଥା ୪୪ ଦିନ ପରେ ଆରଡବ୍ଲୁଏସଏସ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦେଶ କାର୍ଯ୍ୟକାରୀ କରିବାକୁ ତଳସ୍ତରର ଅଧିକାରୀଙ୍କୁ କହିଥିଲେ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିଟିସନର ରମା ରଞ୍ଜନ ବଳିୟାର ସିଂ । ଶୁଣାଣି ବେଳେ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ କମିଶନରେ ହାଜର ହୋଇ ନଥିଲେ । କମିଶନ ଏହାକୁ ନେଇ ବିରକ୍ତ ହେବା ପରେ ଅଧିକାରୀମାନେ ହାଜର ହୋଇଥିଲେ । ଜୁଲାଇ ଶେଷ ସୁଦ୍ଧା କଣାସ ମେଗା ପ୍ରକଳ୍ପ ଦ୍ୱାରା କଣାସର ୧୨୮, ସତ୍ୟବାଦୀର ୧୨ ଓ ବ୍ରହ୍ମଗିରିର ୧୮ ମୋଟ ୧୫୩ଟି ଗାଁକୁ ଜଳ ଯୋଗାଣ ନିର୍ଦ୍ଦେଶ ଥିଲା। କିନ୍ତୁ ଏଯାଏଁ ୨୦ରୁ ୨୫ ଗାଁକୁ ଟ୍ରାଏଲ ରନ ହୋଇଛି ଓ ମାତ୍ର ୫ରୁ ୭ଟି ଗାଁକୁ ଜଳ ଯୋଗାଣ ହୋଇଛି । କଣାସରେ ଦୂଷିତ ଜଳ ଯୋଗୁଁ ୭ଜଣ ପ୍ରାଣ ହରାଇଥିଲେ ଏବଂ ୩୦୦ରୁ ଅଧିକ ଆକ୍ରାନ୍ତ ହୋଇଥିଲେ । ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛି ବିଜେଡି । ପୂର୍ବ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଏଥିପାଇଁ ବଜେଟ ବ୍ୟବସ୍ଥା ନାହିଁ ବୋଲି କହିଛି ଦଳ ।
କଂଗ୍ରେସର କହିବା କଥା ଆଜି ସୁଦ୍ଧା ରାଜ୍ୟର ସବୁଆଡେ ଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ । ବର୍ଷା ଦିନ ଜାରି ରହିଥିବାରୁ ରାଜ୍ୟରେ ଆହୁରି ଝାଡ଼ାବାନ୍ତି ବ୍ୟାପିବା ସମ୍ଭାବନା ରହିଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବାର ଆବଶ୍ୟକତା ରହିଛି । କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଝାଡ଼ାବାନ୍ତି ନେଇ ତଥ୍ୟ ଦେଇଛନ୍ତି । ଏହାକୁ ନେଇ ଦଳ ଆନ୍ଦୋଳନ କରିବ। ଶାସକ ଦଳର ଉତ୍ତର ହେଉଛି ୨୦୨୭ ଭିତରେ ସବୁ ଗାଁକୁ ପାଣି ମିଳିବ ।
ଆସନ୍ତା ୨୫ରେ ମାନବାଧିକାର କମିଶନ କଣାସ ଝାଡ଼ାବାନ୍ତି ମୃତ୍ୟୁ ଘଟଣାର ଶୁଣାଣି କରିବେ । ତେବେ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।