ଲୋପ ପାଇବାକୁ ବସିଲାଣି କମାର ଶାଳ, ବୃତ୍ତିରୁ ମୁହଁ ଫେରାଉଛନ୍ତି କାରିଗର

ନନ୍ଦିଘୋଷ ବ୍ୟୁରୋ: ଦିନ ଥିଲା ଯେଉଁଠି ଘର କରଣା ସାମଗ୍ରୀ ପାଇଁ ଲୋକଙ୍କ ଭିଡ ଲାଗୁଥିଲା । ଏବେ ସେଇ କମାର ଶାଳ ଖାଁ ଖାଁ ପାଲଟିଛି । ହାତ ତିଆରି ଦାଆ ପାଇଁ  ଆସିକା ବ୍ଲକ ମଙ୍ଗଳପୁର ଗାଁ ବେଶ ପରିଚିତ ଥିଲା । ସେଠାର କାରିଗର ମାନେ ନିହଣ ମୁନରେ ପ୍ରସ୍ତୁତ କରୁଥିଲେ ବିଭିନ୍ନ ପ୍ରକାର ଚାଷ ଉପକରଣ । ହେଲେ ଏବେ ଆଧୁନିକତା ଛାପରେ ସେ ସବୁ ଜିନିଷର ଚାହିଦା କମିବାକୁ ଲାଗିଲାଣି । ଯାହା ଫଳରେ କିଛି କାରିଗର ମାନେ ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ଦାଦନ ଖଟିବାକୁ ଯାଉଛନ୍ତି । ଏପରି ସ୍ଥିତିରେ କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ଗାଁର ଉଚ୍ଚ ଶିକ୍ଷିତ ଯୁବକ  କାହ୍ନୁ ଚରଣ ମହାରଣା ।

କମିବାରେ ଲାଗିଲାଣି ନିହଣର ସେଇ ଠକଠକ ଶବ୍ଦ । ଲୋପ ପାଇବାକୁ ବସିଲାଣି କମାର ଶାଳ । ଦିନ ଥିଲା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମଙ୍ଗଳପୁର ଗାଁରେ ପାଖାପାଖି ପନ୍ଦର ପରିବାର କମାର ଶାଳରେ ବିଭିନ୍ନ ପ୍ରକାର ଚାଷ ଉପକରଣ ତିଆରି କରୁଥିଲେ । ଏବଂ ଏହି ସାମଗ୍ରୀକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ପଠାଉଥିଲେ । ବିଶେଷ କରି ହାତ ତିଆରି ଦାଆ ପାଇଁ ଗାଁଟି ବେଶ ପରିଚିତ ଥିଲା । କିନ୍ତୁ ଏବେ କଞ୍ଚାମାଲର ଅଭାବ ଯୋଗୁଁ କିଛି କାରିଗର ଏହି କାମ ପ୍ରତି ବିମୁଖ ହେଲେଣି ।

ଆଉ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କୁ ତାଙ୍କ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଫଳରେ କିଛି କାରିଗର ଏହି କୌଳିକ ବୃତ୍ତିରୁ ମୁହଁ ଫେରାଇ ଦାଦନ ମୁହାଁ ହେଲେଣି । ଏହାରି ଭିତରେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛନ୍ତି ଗାଁର ଉଚ୍ଚଶିକ୍ଷିତ ଯୁବକ କାହ୍ନୁ ଚରଣ ମହାରଣା ।

କମାର ବୃତ୍ତି ଗୋଟିଏ ପ୍ରକାରର କୁଟୀର ଶିଳ୍ପ ହୋଇଥିବା ବେଳେ ଆଧୁନିକତା ଛାପରେ ଏହି ବୃତ୍ତି ଲୋପ ପାଇବାକୁ ଯାଉଛି।  ଆଜିର ଯୁବପିଢ଼ି କମ ରୋଜଗାରରେ ଏଭଳି କଷ୍ଟ ସାଧ୍ୟ କାର୍ଯ୍ୟ କରିବା ପାଇଁ ରାଜି ହେଉନାହାଁନ୍ତି । ସରକାରଙ୍କ ପକ୍ଷରୁ କୌଣସି ସୁବିଧା ମିଳୁନଥିବାରୁ ଏହି ବୃତ୍ତିରୁ ଧିରେ ଧିରେ ଦୂରେଇ ଯାଇ ବାହାର ରାଜ୍ଯକୁ ଅନେକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଅନ୍ୟପଟେ ମଙ୍ଗଳପୁର ଗାଁରେ ପନ୍ଦର କମାର ଶାଳ ଥିଲା । ଯାହା ବର୍ତ୍ତମାନ କମିଯାଇ ୩ଟି କମାର ଶାଳରେ ପହଞ୍ଚିଛି ।