କଂଗ୍ରେସ ଛାଡିବେନି କମଳନାଥ, କହିଲେ ମୁଁ..

1 min read

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ନେଇ ଦୀର୍ଘଦିନ ହେବ ଲାଗି ରହିଥିବା ଚର୍ଚ୍ଚା ଉପରୁ ହଟିଛି ପରଦା ।  କଂଗ୍ରେସ ଛାଡିବେନି କମଳନାଥ। ସେପଟେ କିଛି ଦିନ ଧରି ତାଙ୍କ ଦିଲ୍ଲୀସ୍ଥିତ ବାସଭବନ ଉପରେ ଉଡୁଥିବା ଜୟ ଶ୍ରୀରାମ ପତାକାକୁ ହଟାଇଦିଆଯାଇଛି। । ଦଳୀୟ ଅସନ୍ତୋଷ କାରଣରୁ ଉଭୟ କମଳନାଥ ଓ ପୁଅ ନକୁଳନାଥ ବିଜେପିକୁ ଲମ୍ଫ ପ୍ରଦାନ କରିବେ ବୋଲି କିଛିଦିନ ଧରି କଳ୍ପନାଜଳ୍ପନା ଜାରି ରହିଆସିଥିଲା। ଗତ ଶନିବାର କମଳନାଥ ଦିଲ୍ଲୀରେ ପହଞ୍ଚିବା ଏବଂ ପୁଅ ନକୁଳନାଥ ତାଙ୍କ ବାୟୋରୁ କଂଗ୍ରେସକୁ ହଟାଇଦେବା ପରେ ବିଜେପିରେ ବାପା-ପୁଅ ମିଶିବା ନେଇ ସସପେନ୍ସ ଜାରି ରହିଥିଲା। ମଧ୍ଯପ୍ରଦେଶ ପିସିସି ମୁଖ୍ୟ ପଦରୁ ତାଙ୍କୁ ହଟାଇବା ଏବଂ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କମଳନାଥ କ୍ଷୁବ୍ଧ ହୋଇଥିବା କୁହାଯାଉଛି। ଛିନ୍ଦଓ୍ବାରାରୁ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କମଳନାଥଙ୍କ ପୁଅ ନକୁଳନାଥଙ୍କୁ ନେଇ ବି ସସପେନ୍ସ ଜାରି ରହିଥିଲା । ତେବେ ସାଂସଦ ସଜନ ବର୍ମାଙ୍କ ସହିତ କିଛି କର୍ମୀଙ୍କ ସହ କିଛି ସମୟର ବୈଠକ ପରେ ଏପରି କହିଛନ୍ତି କମଳନାଥ ।

ସଜ୍ଜନ ବର୍ମା କହିଛନ୍ତି କି, କମଳନାଥ ସିଧା ସିଧା କହିଛନ୍ତି କି, ସେ କାଲି କଂଗ୍ରେସରେ ଥିଲେ ଏବଂ ଆଜି ମଧ୍ୟ କଂଗ୍ରେସରେ ଅଛନ୍ତି । ସବୁଦିନ କଂଗ୍ରେସରେ ରହିବେ । ୪୦ ବର୍ଷ ଧରି ଏହି ଦଳରେ ଥିବାବେଳେ ଏବେ ଚାଡ଼ିବାର ନାହିଁ । ଭୋପାଳ ଯାଇ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି । ଏହାସହ କମଳନାଥ କହିଛନ୍ତି କି, ମୁଁ ଏସମ୍ପର୍କରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିବି ନାହିଁ । କାହିଁକି ନାଁ ମୁଁ ଏଭଳି ଗୁଜବ ସମ୍ପର୍କରେ କୌଣସି ଉତ୍ତର ରଖିପାରିବି ନାହିଁ । ସେପଟେ ପୁଅ ନକୁଳନାଥଙ୍କୁ ବିଜେପିରେ ମିଶିବା ନେଇ କୁହାଯାଉଥିବାବେଳେ ସେ ମଧ୍ୟ ଯିବେନାହିଁ ବୋଲି କୁହାଯାଇଛି ।