ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ-ଆମେରିକୀୟଙ୍କ ପ୍ରଥମ ପସନ୍ଦ କମଲା ହାରିସ

1 min read

ଓ୍ବାସିଂଟନ: ନଭେମ୍ବର ୫ ତାରିଖରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ଶକ୍ତିଶାଳୀ ପ୍ରତିନିଧି ପାଇଁ ହେବାକୁ ଯାଉଛି ନିର୍ବାଚନ । ଆମେରିକାରେ ନଭେମ୍ବର ୫ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ମଧ୍ଯରେ ଦେଖିବାକୁ ମିଳୁଛି କାଣ୍ଟା କାଣ୍ଟି ଟକ୍କର । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରମୁଖ ଭୂମିକା ନେଉଥିବା ଭାରତୀୟ-ଆମେରିକୀୟଙ୍କୁ ନେଇ ଏବେ ସାରା ବିଶ୍ବରରେ ଚର୍ଚ୍ଚା । କାରଣ ଭାରତୀୟ-ଆମେରିକୀୟଙ୍କ ସମର୍ଥନ ବିନା ମହାଶକ୍ତିଶାଳୀ ଦେଶର ଶକ୍ତିଶାଳୀ ନେତା ହେବା ପ୍ରାୟତଃ ଅସମ୍ଭବ ।

ସୂଚନାଯୋଗ୍ୟ, ଆମେରିକାର ଜନସଂଖ୍ଯା ପ୍ରାୟ ୩୫ କୋଟି ହୋଇଥିବାବେଳେ ଭୋଟରଙ୍କ ସଂଖ୍ଯା ୧୬ କୋଟି ୮୩ ଲକ୍ଷ । ଦେଶରେ ଭାରତୀୟ ଆମେରିକୀୟଙ୍କ ସଂଖ୍ଯା ୫୨ ଲକ୍ଷ ହୋଇଥିବାବେଳେ ଭୋଟରଙ୍କ ସଂଖ୍ଯା ୨୬ ଲକ୍ଷ । ୨୦୧୦ରୁ ୨୦୨୦ ମଧ୍ଯରେ ଭାରତୀୟ-ଆମେରୀକୀୟଙ୍କ ସଂଖ୍ଯା ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ଇତିହାସ ଦେଖିବାକୁ ଗଲେ ଅଧିକାଂଶ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ ଦେଇଆସିଛନ୍ତି ଭାରତୀୟ-ଆମେରିକୀୟ । ଆଉ କମଲା ହାରିସ୍ ଭାରତୀୟ ଆମେରିକରୟ ହୋଇଥିବାରୁ ଏହି ବର୍ଗର ଭୋଟରଙ୍କ ସମର୍ଥନ ଅଧିକ ରହୁଛି । କମଳା ହାରିସଙ୍କ ପୈତୃକ ତାମିଲନାଡୁ ହୋଇଥିବାବେଳେ ଦୀର୍ଘ ଦିନ ତଳୁ ତାଙ୍କ ପରିବାର ଆମେରିକାର ବାସ କରୁଛନ୍ତି । ପୂର୍ବରୁ ହୋଇଥିବା ସର୍ଭେରେ କମଳାଙ୍କୁ ଅଧିକ ଭାରତୀୟ-ଆମେରିକୀୟ ସମର୍ଥନ କରୁଥିବା ଜଣାଯାଇଛି ।

ସେପଟେ ଏହି ବର୍ଗର ଭୋଟ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରିପବ୍ଲିକାନ ଦଳ ବି ଏହାର ଅର୍ଥନୀତି, ସାମାଜିକ ପ୍ରସଙ୍ଗ, ଭାରତ-ଆମେରିକା ଦ୍ବିପାକ୍ଷିକ ନୀତିକୁ ସେମାନଙ୍କ ସ୍ବାର୍ଥକୁ ପ୍ରଭାବିତ କରିବା ପରି ପରିଚାଳିତ କରିଆସିଛି ।