ଓଡ଼ିଶା ରାଜନୀତିର ପରିଚିତ ଚେହେରା ଥିଲେ କମଳା ଦାସ

ବ୍ୟୁରୋ ରିପୋର୍ଟ:   ୧୬ ଅଗଷ୍ଟ ୧୯୪୫ ମସିହାରେ କମଳା ଦାସଙ୍କ ଜନ୍ମ। ଓଡ଼ିଶା ରାଜନୀତିର ଥିଲେ ଏକ ପରିଚିତ ଚେହେରା। ବିଜେଡିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ଵରେ ଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ। ଡାକ୍ତରୀ ଶିକ୍ଷାରେ ଏମବିବିଏସ ସହ ଏମସ ଡିଗ୍ରୀ ହାସଲ କରିଥିଲେ କମଳା ଦାସ। ୧୯୯୦ ବିଧାନ ସଭା ନିର୍ବାଚନରେ ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ପ୍ରଥମଥର ଲାଗି ବିଧାୟିକା ଭାବେ ହୋଇଥିଲେ ନିର୍ବାଚିତ। ଏହାପରେ ସେ ୧୯୯୫ରେ ପୁଣି ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ବିଜୁ ଜନତା ଦଳରୁ ୨୦୦୦ ମସିହାରେ ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦ୍ଵାଦଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ୧୯୯୦ରୁ ୧୯୯୫ ଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ରାଜ୍ଯ ଶିକ୍ଷା ଓ ଯୁବ ସେବା ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥଲେ। ଏହାପରେ ୧୯୯୩ରୁ ୧୯୯୫ ଯାଏଁ ଥିଲେ ସ୍ଵାସ୍ଥ୍ୟମନ୍ତ୍ରୀ। ୧୯୯୫ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଜନତା ଦଳର ପ୍ରତିନିଧି ଭାବେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ସେ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ କାର୍ଯ୍ୟ କରିଥିଲେ। ଏହି ସମୟରେ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ବିଜୁ ଜନତା ଦଳର ଗଠନ ହେଲା ଏବଂ କମଳା ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଜୁ ଜନତା ଦଳରୁ ପୁଣିଥରେ ଭୋଗରାଇରୁ ବିଧାୟିକା ହୋଇଥିଲେ।

ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଦୁଇଟି ବିଭାଗର ମନ୍ତ୍ରୀ ଥିଲେ। କମଳା ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ୨୦୦୦ରୁ ୨୦୦୧ ଯାଏଁ କାର୍ଯ୍ୟ କରିଥିଲେ। ଏହାପରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ରେ ସେ ପୁଣିଥରେ ବିଜୁ ଜନତା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।