କଂଗ୍ରେସକୁ ଅନାଥ କରିପାରନ୍ତି କମଳନାଥ, ବଢ଼ିଲା ବିଜେପିରେ ମିଶିବା ଚର୍ଚ୍ଚା

ଭୋପାଳ: ମଧ୍ୟପ୍ରଦେଶ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । କଂଗ୍ରେସକୁ ଅନାଥ କରିପାରନ୍ତି କମଳନାଥ । କଂଗ୍ରେସକୁ ଲାଗିପାରେ ବଡ ଧରଣର ଧକ୍କା । ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଲୋକସଭା ନିର୍ବାଚନ ପୂର୍ବରୁ କମଳନାଥଙ୍କ ଭୂମିକାକୁ ନେଇ ସସପେନ୍ସରେ ଅଛି ରାଜ୍ୟ କଂଗ୍ରେସ । ଶନିବାର କମଳନାଥ ଦିଲ୍ଲୀରେ ପହଞ୍ଚିବା ପରେ ସେ ଦଳ ଛାଡିବା ଆଶଙ୍କା ଘନୀଭୂତ ହୋଇଛି ।

ଯଦିଓ ସେ ବିଜେପି ହାଇକମାଣ୍ଡଙ୍କୁ ଭେଟିନାହାନ୍ତି ତଥାପି ତାଙ୍କ ଗସ୍ତ ପରେ ବିଜେପିର କେତେକ ନେତା କହିଛନ୍ତି ତାଙ୍କୁ ଦଳରେ ସ୍ବାଗତ କରାଯିବ । ଛିନ୍ଦଓ୍ବାରାରୁ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା କମଳନାଥଙ୍କ ପୁଅ ନକୁଳନାଥଙ୍କୁ ନେଇ ବି ସସପେନ୍ସ ଜାରି ରହିଛି । କୁହାଯାଉଛି କମଳନାଥ ରାଜ୍ୟସଭାକୁ ଯିବା ଲାଗି ଆଗ୍ରହୀ ଥିଲେ । ମାତ୍ର ତାଙ୍କ ଅନୁରୋଧ ରକ୍ଷା ନହେବାରୁ ସେ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି । ତେବେ ଦଳ ନଛାଡିବା ଲାଗି କମଳନାଥଙ୍କୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ପରାମର୍ଶ ଦେଇଥିବା ଜଣାଯାଇଛି । ୧୯୭୯ରେ କମଳନାଥଙ୍କ ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଚାର କରୁଥିବା ବେଳେ ତାଙ୍କୁ ଇନ୍ଦିରା ନିଜର ତୃତୀୟ ପୁଅ ବୋଲି ସମ୍ବୋଧନ କରିଥିଲେ ।

୨୦୧୯ରେ ମଧ୍ୟପ୍ରଦେଶରେ କଂଗ୍ରେସ ଗୋଟିଏ ମାତ୍ର ଲୋକସଭା ଆସନ ଜିତିଥିଲା । ଯଦି କମଳନାଥ ଦଳ ଛାଡନ୍ତି ତେବେ ରାଜ୍ୟ କଂଗ୍ରେସ ଲାଗି ବଡ ଧକ୍କା ଲାଗିପାରେ । ଗତ ୨୦୨୦ରେ ତାଙ୍କର ଘନିଷ୍ଠ କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ।