ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା : ଆତ୍ମହତ୍ୟା ନୁହେଁ ହତ୍ୟା, ଶିକ୍ଷକ ଗିରଫ

ନନ୍ଦିଘୋଷ ବ୍ୟୁରୋ: କାମାକ୍ଷାନଗର ତୁମୁସିଙ୍ଗା ଗୁନେଇବିଲିରେ ଗ୍ଯାରେଜ ଘରୁ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା। ୨୪ ଘଣ୍ଟା ଭିତରେ ଘଟଣାରୁ ପରଦା ଉଠାଇଲା ପୋଲିସ । ଅନୈତିକ ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲେ।  ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଚାକିରୀ କରୁଥିବା ତୁମୁସିଙ୍ଗା ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ସୋମନାଥ ବିଶ୍ୱାଳଙ୍କ ସହ ଅନୈତିକ ସମ୍ପର୍କ ଥିବା ଜଣାପଡିଛି।ଘଟଣାରେ ସୋମନାଥକୁ ଗିରଫ କରିବା ସହ ଘଟଣାସ୍ଥଳକୁ ଆଣି କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ । ତୁମୁସିଙ୍ଗା ପଞ୍ଚଶଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ମୃତଦେହ ଗୁନେଇବିଲି ସ୍ଥିତ ନିଜ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା । ପରିବାର ଲୋକଙ୍କ ଠାରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପ୍ରାରମ୍ଭିକ ତଦନ୍ତରୁ ହତ୍ୟା ହୋଇଥିବା ଜାଣିପାରିଥିଲା ପୋଲିସ  । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । ଘଟଣାର ୨୪ ଘଣ୍ଟା ନପୁରୁଣୁ ରହସ୍ୟ ଉପରୁ ପରଦା ଉଠାଇଛି । ଅନୈତିକ ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ଦେହୁରୀଙ୍କୁ କଳା ଶିକ୍ଷକ ସୋମନାଥ ବିଶ୍ୱାଳ ହତ୍ୟା କରିଥିବା ନେଇ ଜଣାପଡିଛି । ତେବେ ପରିବାର ଲୋକେ ଟଙ୍କା ନେଣଦେଣକୁ ନେଇ ହତ୍ୟା ହୋଇଥିବା କହିଛନ୍ତି  । ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବାପାଇଁ ପରିବାର ଲୋକ ଦାବି କରିଛନ୍ତି ।