କୋବି ଅମଳ ଆରମ୍ଭରୁ ଲାଗିଲାଣି ପୋକ, ଉଜୁଡିଗଲାଣି ବ୍ୟାପକ ଫସଲ

କାମାକ୍ଷାନଗର : ଖରାପ ମଞ୍ଜି ଓ ଅସନ୍ତୁଳନ ପାଣିପାଗ ବିଗାଡ଼ିଲା କୋବି ଚାଷ । ଅମଳ ଆରମ୍ଭରୁ କୋବିରେ ଲାଗିଲାଣି ପୋକ । ଚିନ୍ତାରେ ଚାଷୀ ।… ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ଗୋଳାଗଡିଆ ଗାଁରେ ବ୍ୟାପକ କୋବି ଫସଲ ନଷ୍ଟ ହେଲାଣି । ଗୋଳାଗଡିଆ ଗାଁରେ ପ୍ରତିବର୍ଷ ପରି ଚଳିତ ଥର ଏକର ଏକର ଜମିରେ ଫୁଲ କୋବି, ବନ୍ଧା କୋବି, ଉଲ କୋବି ଭଳି ବିଭିନ୍ନ ପ୍ରକାର କୋବି ଚାଷ କରିଥିଲେ ଚାଷୀ । ଆଶା କରିଥିଲେ ଭଲ ଲାଭ ହେବ । ହେଲେ ଅସନ୍ତୁଳନ ପାଣିପାଗ ସାଙ୍ଗକୁ ନିମ୍ନମାନର କୋବି ମଞ୍ଜି ବ୍ୟବହାର ଯୋଗୁ ଅମଳ ପୂର୍ବରୁ କୋବିରେ ଲାଗିଗଲାଣି ପୋକ । ଧାର କରଜ କରି ଏକର ଏକର ଜମିରେ ସୁନାର ଫସଲ ଫଳାଇଥିବା ଚାଷୀ ଏବେ କିପରି ଋଣ ସୁଝିବେ ? ପରିବାର କିପରି ପ୍ରତିପୋଷଣ କରିବେ ? ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଗୋଳାଗଡ଼ିଆ ଗାଁରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ କୋବି ରପ୍ତାନୀ ହୁଏ । ଢେଙ୍କାନାଳ, କଟକ, ଆଠଗଡ, ଭୁବନେଶ୍ଵର, ରାଉରକେଲା ପ୍ରଭୁତି ଅଞ୍ଚଳରୁ ଏଠାକୁ ବ୍ୟବସାୟୀ ମାନେ ଆସି ଟ୍ରିପ ଟ୍ରିପ କୋବି କିଣିନେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଅଦିନିଆ ବର୍ଷା ଓ ମଞ୍ଜିର ଗୁଣବତ୍ତା ଖରାପ, ଠିକରେ ସାର ନମିଳିବା କାରଣରୁ ପ୍ରାୟ ୨ ଶହ ଏକର ଜମିରେ ହୋଇଥିବା କୋବି ପଚିସଢି ନଷ୍ଟ ହେବାକୁ ବସିଲାଣି । ସରକାର ଦୃଷ୍ଟି ଦେଇ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି ଚାଷୀ । ଖରାପ ପାଣିପାଗ ଓ ନିମ୍ନମାନର ବିହନ ସକାଶେ ଏବେ ଗୋଳାଗଡିଆ ଗାଁର କୋବି ଚାଷୀ ଏବେ ଏହି ଚାଷ ଆଗକୁ ଆଉ କରିବେ କି ନାହିଁ ତାହା ସନ୍ଦେହ ସୃଷ୍ଟି କଲାଣି ।