spot_img

Latest Posts

ଭଙ୍ଗା କୁଡ଼ିଆରେ କଟୁଛି ବୃଦ୍ଧ ଦମ୍ପତ୍ତିଙ୍କ ଜୀବନ

କାମାକ୍ଷାନଗର: ଭଙ୍ଗା କୁଡିଆରେ କଟୁଛି ଜୀବନ। ଶଯ୍ୟାଶାୟୀ ସ୍ବାମୀଙ୍କୁ ଜଗି ରହିଛନ୍ତି ସଞ୍ଜୁଲତା। କାମାକ୍ଷାନଗର ଗୋଡିସାହିର ବୃଦ୍ଧ ଦମ୍ପତ୍ତି ଭରତ ପଧାନ ଓ ସଞ୍ଜୁଲତା ପଧାନ।  ସ୍ବାମୀ ୭ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ପତ୍ନୀ ସଞ୍ଜୁଲତା। ବୟସର ଅପରାହ୍ନରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହିତ ଲଢ଼ୁଛନ୍ତି ଭରତ। ଜନ୍ମ କଲା ପୁଅ ବାପା ମାଆଙ୍କୁ ପର କରି ଛାଡି ଚାଲିଗଲା। ସ୍ୱାମୀଙ୍କ ହାତ ଧରି ଏହି ଅଧା ଭଙ୍ଗା ଘରେ ରହୁଛନ୍ତି ସଞ୍ଜୁଲତା । ଦିନ ମଜୁରିଆ ଭାବେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ ଭରତ। ହେଲେ ଗତ ୭ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି । ସ୍ୱାମୀର ଏଭଳି ସ୍ଥିତିରେ ପରଘରେ ମୂଲ ଲାଗି କାମ କରି ପେଟ ପୋଷୁଛନ୍ତି ସ୍ତ୍ରୀ ସଞ୍ଜୁଲତା। ସରକାରଙ୍କ ପାଞ୍ଚ କିଲୋ ଚାଉଳ ଏବଂ ଭତ୍ତାକୁ ଭରସା କରିଅଛନ୍ତି ସ୍ବାମୀ ସ୍ତ୍ରୀ ।

କନ୍ତିଓପୁଟସାହିରେ କିଡନୀ ରୋଗ ମହାମାରୀର ରୂପ ନେଇଛି। ଜୁଲଙ୍ଗ ,କନ୍ତିଓକାଟେଣୀ , ସାରୁଆଳି, ଯମୁନାକୋଟ ଅଞ୍ଚଳରେ କିଡନୀ ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ତେବେ ଏହି କିଡନୀ ରୋଗ ଭରତଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଭରତଙ୍କ ଡାଏଲିସିସ ପାଇଁ ନେବା ଆଣିବା କରିବା ପାଇଁ ଅର୍ଥ ସାଜିଛି ବାଧକ। ଦୁଇ ଓଳା ଦୁଇ ମୁଠା ଖାଇବାକୁ ପାଉନଥିବା ପରିବାର ବା ଅଧିକ ଟଙ୍କା କେମିତି ଯୋଗାଡ କରିବ । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଏହି ଦୁଇପ୍ରାଣୀଙ୍କୁ ସରକାର ସହଯୋଗ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି।

 

Latest Posts

Don't Miss