ମଦ ପିଇବାକୁ ଟଙ୍କା ଦେଲାନି ବୋଲି, ଜେଜେମାଆଙ୍କୁ ମାରିଦେଲା ନାତି

ନନ୍ଦିଘୋଷ ବ୍ୟୁରୋ: ମଦ ପିଇବାକୁ ଟଙ୍କା ନଦେବାରୁ କାଠଫାଳିଆରେ ପିଟି ପିଟି ଜେଜେମାଆକୁ ମାରିଦେଲା ନାତି। ଢେଙ୍କାନାଳ କଙ୍କଡାହାଡ଼ ଥାନା ବାଲିସାହି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତ ଜେଜେ ମାଆ ଶ୍ରୀମତୀ ବେୱା। ଶାଶୁକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ମାଆ । ଗୁରୁତର ଅବସ୍ଥାରେ ମାଆ ଚମ୍ପା ସିଂହଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଲିସାହି ଗାଁର ଲିକୁ ସିଂହ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି। ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଜେଜେମାଆଙ୍କୁ ଟଙ୍କା ମାଗିଥିଲା । ଟଙ୍କା ଦେବାକୁ ମନା କରିବାରୁ ଉତକ୍ଷିପ୍ତ ହୋଇ କାଠଫାଳିଆରେ ଜେଜେମାଙ୍କୁ ମାଡ଼ ମାରିଥିଲା । ମନ ଶାନ୍ତି ନହେବାରୁ ଜେଜେମାଆ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।