ଠାକୁରଙ୍କ ଜମିକୁ ବି ଛାଡୁନାହାଁନ୍ତି ଦଲାଲ

1 min read

ନନ୍ଦିଘୋଷ ବ୍ୟୁରୋ: ଠାକୁରଙ୍କ ଜମିକୁ ବି ଛାଡୁନାହାଁନ୍ତି ଦଲାଲ। ରାଜରାଜୁଡା ଅମଳର ବହୁ ପୁରାତନ ପୀଠ । ଠାକୁରଙ୍କର ରହିଛି ବାଟୀ ବାଟୀ ସମ୍ପତ୍ତି l କିନ୍ତୁ ଠାକୁରଙ୍କ ନାଁରେ ଥିବା ପ୍ରାୟ ଜମି ଏବେ ଜବରଦଖଲ କାରୀଙ୍କ କବଜାରେ । ତେଣୁ ସବୁଥାଇ ମଧ୍ୟ ଦେବୋତ୍ତର ବିଭାଗର ଖାମଖିଆଲି ମନୋଭାବ କାର୍ଯ୍ୟ ଯୋଗୁଁ ଓପାସରେ ରହୁଛନ୍ତି ରଘୁନାଥ ଜୀଉ । ଠିକ ସେ ହୋଇପାରୁନି ଠାକୁରଙ୍କ ନୀତିକାନ୍ତି ।

କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତର ଜିରିଡାମାଳି ଗାଁ । ଗାଁର ମଧ୍ୟ ଭାଗରେ ରାଜରାଜୁଡା ଅମଳରୁ ବିରାଜମାନ ପ୍ରଭୁ ରଘୁନାଥ ଜୀଉ । ବହୁ ପୁରାତନ ପୀଠଟି ଏବେ ସମସ୍ଯା ଘେରରେ । ବାଟୀ ବାଟୀ ସମ୍ପତ୍ତିର ଅଧିକାରୀ ରଘୁନାଥ ଜୀଉଙ୍କ ପୀଠ ଏବେ ଅବହେଳିତ । ଭଙ୍ଗାଦଦରl ଘରେ ଠାକୁରଙ୍କ ପୂଜା ହେଉଥିବା ବେଳେ ପୀଠ ଚାରିପାଖରେ ଲଟି, ବୁଦା ମାଡି ଚାଲିଛି । ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ପୁରାତନ ପୀଠ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଯୋଗୁଁ ଜିରିଡାମାଳି, ଭାଲୁମୁଣ୍ଡା, କାନପୁରା ପ୍ରଭୁତି ଗାଁରେ ଥିବା  ଠାକୁରଙ୍କ ଅନେକ ଜମି ଏବେ ଜବରଦଖଲ କାରୀଙ୍କ କବଜାରେ । ବେଆଇନ ଭାବେ ନିର୍ମାଣ କରୁଛନ୍ତି ବିରାଟ ଅଟ୍ଟାଳିକା । ଫଳରେ ଠାକୁରଙ୍କ ନୀତିକାନ୍ତି ଠିକ ସେ ହୋଇପାରୁନଥିବା ବେଳେ ବର୍ଷର ଅନେକ ସମୟରେ ଓପାସରେ ରହୁଛନ୍ତି ରଘୁନାଥ ଜୀଉ ।

ଦେବୋତ୍ତର ବିଭାଗର କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଠାକୁରଙ୍କ ଏକର ଏକର ଜମି ଉପରେ ପଡିଛି ଦଲାଲଙ୍କ ନଜର । ଶାଗମାଛ ଦରରେ କିଛି ଦଲାଲ ଠାକୁରଙ୍କ ଜମିକୁ ବିକ୍ରି କରୁଛନ୍ତି । ଯାହା ଫଳରେ ଯେଉଁ ଅଳ୍ପ ଜମି ରହୁଛି ସେଥିରୁ ଆଦାୟ ହେଉଥିବା ଉତ୍ପାଦନ ଠାକୁରଙ୍କ ନୀତିକାନ୍ତି ପାଇଁ ସମୁଦ୍ରକୁ ଶଙ୍ଖେ । ଠାକୁରଙ୍କ ନୀତିପାଇଁ ଦେବୋତ୍ତର ବିଭାଗ ତରଫରୁ  ମାସିକ ଭାବେ ଯାହା କିଛି ପ୍ରଦାନ କରାଯାଉଛି ସେଥିରେ ଅତି କଷ୍ଟରେ ଠାକୁରଙ୍କ ମାତ୍ର ସାତ, ଆଠ ଦିନ ନୀତି ହୋଇପାରୁଛି । ତେଣୁ ଜମି ଜବରଦଖଲ କାରୀଙ୍କ ବିରୁଦ୍ଧରେ ତୁରନ୍ତ ଦେବୋତ୍ତର ବିଭାଗ ଓ ଢେଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏହି ସବୁ ଜବରଦଖଲ ଜମି ଗୁଡିକ ବର୍ଷା ଦିନ ପରେ ଜବରଦଖଲ କାରୀଙ୍କ ଠାରୁ ସରକାରଙ୍କ ଅକ୍ତିଆରକୁ ଅଣାଯିବl ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ।