ନିର୍ଗୁଣ୍ଡିରେ ଲାଇନଚ୍ୟୁତ ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସ, ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ

1 min read

ଭୁବନେଶ୍ବର ; ଦିନ ପ୍ରାୟ ୧୨ଟା । ସ୍ଥାନ କଟକ ନିର୍ଗୁଣ୍ଡି। ସବୁଦିନ ପରି ଚଳଚଞ୍ଚଳ ଥିଲା ରେଳପଥ। ହେଲେ ଅକସ୍ମାତ ଟ୍ରାକରୁ ଖସିଲା ବେଙ୍ଗାଳୁରୁ-କାମାକ୍ଷା ଏକ୍ସପ୍ରେସ। ୧୧ ଏସି ବଗି ହୋଇଗଲା ଲାଇନଚ୍ୟୁତ। ନିମିଷକେ ମଧ୍ଯରେ ବଦଳିଯାଇଥିଲା ଦୃଶ୍ୟ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ଆନନ୍ଦରେ ଥିବା ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ। ଜୀବନ ବିକଳରେ ଟ୍ରେନରୁ ଓହ୍ଲାଇଥିଲେ ଯାତ୍ରୀ। ତୁରନ୍ତ ସ୍ଥାନୀୟ ଅଞ୍ଚଳ ହୋଇଯାଇଥିଲା ଲୋକାରଣ୍ୟ। ଖବର ପ୍ରସାରିତ ହେବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏନଡିଆରଏଫ ଓ ଅଗ୍ନିଶମ ବାହିନୀ। ଦେବଦୂତ ସାଜିଥିଲେ ଟିମ। ଆହତମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଆରମ୍ଭ ହୋଇଥିଲା ଚିକିତ୍ସା।

ମା’ ଚିତ୍ରା ରୟଙ୍କ ହୃଦରୋଗ ଚିକିତ୍ସା ପାଇଁ ବେଙ୍ଗାଳୁରୁ ଯାଇଥିଲେ ପଶ୍ଚିମବଙ୍ଗ ଅଲ୍ଲୀପୁରର ଶୁଭଙ୍କର ରୟ। ପ୍ରାଣରେ ଭରିଥିଲା ଆଶା। କିଛି ଘଣ୍ଟା ପରେ ପହଞ୍ଚିଥାନ୍ତେ ଘରେ। ହେଲେ ନିୟତିର ବିଧି ଥିଲା ଅଲଗା। କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ଶୁଭଙ୍କର। ସାରା ପରିବାରରେ ଘୋଟିଯାଇଛି ଦୁଃଖର କଳାବାଦଲ।ଦୁର୍ଘଟଣା ପରେ ବିପନ୍ନ ଯାତ୍ରୀଙ୍କୁ ସହାୟତା ଲାଗି ଯାଇଥିଲା ସ୍ବତନ୍ତ୍ର ଟ୍ରେନ। ସେଥିରେ ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଜିଲ୍ଲା ପ୍ରଶାସନ ଓ ରେଳବାଇ ବରିଷ୍ଠ ଅଧିକାରୀମାନଙ୍କ ତତ୍ତ୍ବାବଧାନରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ।

ଦୁର୍ଘଟଣା ପରେ ମୃତାହତଙ୍କୁ ଭେଟିଥିଲେ ବିଭିନ୍ନ ରାଜନୈତିକ ଦଳର ବିଧାୟକ। ସେପଟେ ଦୁର୍ଘଟଣାକୁ ନେଇ କୌଣସି ଟ୍ରେନ ବାତିଲ ହୋଇନଥିବାବେଳେ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ସେଗୁଡିକ ହେଲା ଧଉଳି, ନୀଳାଚଳ, ପୁରୁଲିଆ, ଫଲକନାମା, ସିକନ୍ଦାରାବାଦ ସିଲଚର ଏକ୍ସପ୍ରେସ। ଦୁର୍ଘଟଣାକୁ ନେଇ ଜାରି ହୋଇଛି ହେଲ୍ପଲାଇନ ନମ୍ବର। ହେଲ୍ପଲାଇନ ଡେସ୍କ ନମ୍ବର-୮୧୧୪୩ ୮୨୩୭୧, ଏମର୍ଜେନ୍ସି କଣ୍ଟ୍ରୋଲ ରୁମ ନମ୍ବର ୮୪୫୫୮ ୮୫୯୯୯, କଟକ ହେଲ୍ପଲାଇନ ନମ୍ବର- ୭୨୦୫୧ ୪୯୫୯୧, ଭୁବନେଶ୍ଵର ହେଲ୍ପଲାଇନ ନମ୍ବର- ୮୧୧୪୩ ୮୨୩୭୧, ଖୋର୍ଦ୍ଧା ରୋଡ ହେଲ୍ପଲାଇନ ନମ୍ବର-୦୬୭୪୨ ୪୯୨୨୪୫।