TMC ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଅଭଦ୍ରାମୀ, ସଂସଦ ପରିସରରେ ଉପରାଷ୍ଟ୍ରପତିଙ୍କ କଲେ ନକଲ

ନୂଆଦିଲ୍ଲୀ: ନିଲମ୍ବନ ପ୍ରତିବାଦରେ ମଙ୍ଗଳବାର ବିରୋଧୀ ଦଳର ସାଂସଦମାନେ ସଂସଦ ପରିସରରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା । କଲ୍ୟାଣ ବିରୋଧ ପ୍ରଦର୍ଶନ ବେଳେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦିପ ଧନକଡେଙ୍କ ନକଲ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓରେ କଲ୍ୟାଣ ନକଲ କରିବା ବେଳେ ରାହୁଲ ଗାନ୍ଧି ଏହାର ଭିଡିଓ କରୁଥିବା ଦେଖିବାକୁ ମିଳୁଛି ।

ଧନକଡେଙ୍କ ଅସନ୍ତୋଷ

ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟସଭା ସଭାପତି ଧନକଡେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘ଜଣେ ସାଂସଦ ନକଲ କରୁଛନ୍ତି ଓ ଆଉ ଜଣେ ବଡ଼ ନେତା ଛିଡ଼ା ହୋଇ ଭିଡିଓ ସୁଟ୍ କରୁଛନ୍ତି । ଏହା ଲଜ୍ୟାଜନକ, ଅଗ୍ରହଣୀୟ ଓ ସଂସଦର ଅପମାନ ।

ସଂସଦ ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ, ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ସରକାର ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା କରନ୍ତୁ ବୋଲି ବିରୋଧୀ ଦାବି କରି ଆସୁଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଏହାକୁ ନେଇ ରାଜନୀତି କରୁଛି ବୋଲି କେନ୍ଦ୍ର ସରକାର ସଫେଇ ଦେଉଛି ।

ସୂଚନାଯୋଗ୍ୟ, ସୋମବାର ଏହି ପ୍ରସଙ୍ଗରେ ହଙ୍ଗାମା କରିବା ଅଭିଯୋଗରେ ୭୮ ବିରୋଧୀ ଦଳ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ଆଜି ଆଉ ୪୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଏହାକୁ ମିଶାଇ ସଂସଦର ଦୁଇ ଗୃହରୁ ମୋଟ ୧୪୧ ଜଣ ନିଲମ୍ବିତ ହୋଇସାରିଛନ୍ତି । ଏହାକୁ ନେଇ ସଂସଦ ପରିସରରେ ବିରୋଧୀ ପ୍ରଦର୍ଶନ କରୁଥିଲେ । ଏହି ସୟମରେ କଲ୍ୟାଣ ଧନକଡେଙ୍କ ନକଲ କରିଥିଲେ ।