ପ୍ରକୃତିର ତାଣ୍ଡବରେ ଧ୍ବସ୍ତବିଧ୍ବସ୍ତ କନ୍ଧମାଳ କଳିଙ୍ଗା ଘାଟି
1 min read
ଜି. ଉଦୟଗିରି : ଓଡ଼ିଶାରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଭଳି ଧସିଲା ପାହାଡ। କନ୍ଧମାଳ କଳିଙ୍ଗା ଘାଟିରେ ପ୍ରଥମଥର ଲାଗି ଧସିଲା ପାହାଡ। ଉତ୍ତରଭାରତରେ ପ୍ରଳୟ ଭଳି କଳିଙ୍ଗା ଘାଟିରେ ପ୍ରବଳ ବର୍ଷାରୁ ପହାଡରୁ ଧସିଲା ବଡ଼ ବଡ଼ ପଥର ମାଟି ଅତଡ଼ା। କେତେବେଳେ ପାହାଡରୁ ବଡ଼ ବଡ଼ ପଥର ଖସୁଛି ତ ଆଉ କେତେବେଳେ ମାଟି ଅତଡ଼ା ଖସୁଛି। ଭୂସ୍ଖଳନରୁ ବ୍ରହ୍ମପୁର ଓ ଫୁଲବାଣୀକୁ ସଂଯୋଗ କରୁଥିବା ବିଜୟଓ୍ବାଡ଼ା-ରାଞ୍ଚି କରିଡ଼ର ୧୫୭ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ।ଏବେ ପ୍ରାୟ ୫୦ ମିଟର ଅଂଚଳରେ ମାଟି ଅତଡ଼ା ଖସିବା ସହ ପାହାଡ଼ରୁ ବଡ଼ବଡ଼ ପଥର ଖସି ରାସ୍ତାରେ ପଡ଼ି ରହିଛି।ଫଳରେ ୨ ଦିନ ହେଲା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୂସ୍ଖଳନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଟିର ଉଭୟ ପାର୍ଶ୍ବକୁ ସିଲ୍ କରାଯାଇଛି। କଳିଙ୍ଗା ଘାଟି ଦେଇ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାତାୟାତ ସ୍ବାଭାବିକ କରିବାକୁ ପ୍ରାୟ ୩ ମାସ ସମୟ ଲାଗିବ ବୋଲି କହିଛନ୍ତି ଜି. ଉଦୟଗିରି ବିଡିଓ। ଅନ୍ୟପଟେ ବର୍ଷା ଛାଡ଼ିବା ପରେ ରାସ୍ତା ଉପରୁ ମାଟି ଓ ପଥର ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି।
ପୂର୍ବରୁ ମଧ୍ୟ କନ୍ଧମାଳର କଳିଙ୍ଗା ଘାଟିରେ ଛୋଟ ଧରଣର ଭୂସ୍ଖଳନ ଦେଖିବାକୁ ମିଳିଥିଲା। ତେବେ ଉତ୍ତରାଖଣ୍ଡ ସଦୃଶ ବଡ଼ଧରଣର ଭୂସ୍ଖଳନ ପ୍ରଥମଥର ଲାଗି ଦେଖାଦେଇଛି।ଭୂସ୍ଖଳନ ଯୋଗୁଁ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନ ସ୍ଥଳରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ। ବାରମ୍ବାର ରାଜପଥ ମରାମତି ନେଇ ଲୋକେ ଜଣାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। କଳିଙ୍ଗା ଘାଟି ଦେଇ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଅନ୍ୟ ରାସ୍ତା ଦେଇ ଫୁଲବାଣୀ, ବାଲିଗୁଡ଼ାକୁ ଗାଡ଼ି ଚଳାଚଳ କରୁଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପ୍ରଶାସନର ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । କଳିଙ୍ଗା ଘାଟି ଅଂଚଳରେ ରାସ୍ତାର ସୁରକ୍ଷା ନନେଲେ କେତେବେଳେ ବି ବଡ଼ ଦୁର୍ଘଟଣା ଘଟିପାରେ। ଧନ ଜୀବନହାନୀ ପୂର୍ବରୁ ସରକାର, ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯତ୍ନବାନ ହେବା ଆବଶ୍ୟକ।