ପ୍ରଭାତୀଙ୍କୁ ସହାୟତା ପାଇଁ କଳିଙ୍ଗ ସ୍ୱରାଜ ଅଭିଯାନର ପ୍ରୟାସ, ଲୋଡ଼ିଲେ ସମସ୍ତଙ୍କ ସହଯୋଗ
ଭୁବନେଶ୍ୱର : ପ୍ରଭାତୀ ସାହୁ… ବୟସ ପ୍ରାୟ ୪୫ । ବାପାଙ୍କ ନାମ ଶଙ୍କର ପ୍ରଧାନ । ସ୍ୱାମୀଙ୍କ ନାଁ ରାଜକିଶୋର ସାହୁ । ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ନିରାକାରପୁର ଅଞ୍ଚଳରେ । ଦୁଇ ବର୍ଷ ଧରି ନିଖୋଜ ହୋଇଥିବା ଏହି ମହିଳାଙ୍କ ସମ୍ପର୍କରେ ସୂଚନା ପାଇଛି କଳିଙ୍ଗ ସ୍ୱରାଜ ଅଭିଯାନ । ମାନସିକ ଭାବେ ଅନଗ୍ରସର ଥିବା ଏହି ମହିଳାଜଣଙ୍କ ଏବେ ସୁଦୂର ଭୋଜ ମାନସିକ ଚିକିତ୍ସାଳୟରେ ଦିନ ବିତାଉଛନ୍ତି । ଏହି ମହିଳାଙ୍କୁ ଓଡ଼ିଶା ଆଣିବାକୁ ପ୍ରୟାସ କରୁଛନ୍ତି କଳିଙ୍ଗ ସ୍ୱରାଜ ଅଭିଯାନପ୍ରତିଷ୍ଠାତା ଶିବାଶିଷ ସ୍ୱାଇଁ । ମାନସିକ ଭାବେ ପ୍ରଭାତୀ ଅନଗ୍ରସର, ତେଣୁ ତାଙ୍କୁ ସୁଦୂର ଗୁଜରାଟରୁ ଫେରାଇ ଆଣିବା ପାଇଁ ସହାୟତାର ଆବଶ୍ୟକତା ରହିଛି ।
ଦୀର୍ଘଦିନ ଧରି ଅଭିଯାନ ପକ୍ଷରୁ ପ୍ରଭାତୀଙ୍କୁ ଟ୍ରାକ କରାଯାଉଥିଲା । ନିରବଚ୍ଛିନ୍ନ ପ୍ରୟାସ ହିଁ ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ଆଣିଦେଇଥିଲା । ବର୍ତ୍ତମାନ ପ୍ରଭାତୀଙ୍କୁ ଠାବ କରାଯାଇଛି । ହେଲେ ତାଙ୍କୁ ଭୁଜ୍ ରୁ ଓଡ଼ିଶା ଆଣିବା ପାଇଁ ପ୍ରଶାସନର ସହାୟତା ଆବଶ୍ୟକତା ରହିଛି । ଯେଉଁଥିପାଇଁ ସେ ପ୍ରଶାସନ ସହ ଅନ୍ୟମାନଙ୍କୁ ନିବେଦନ କରିଥିବା ଜଣାପଡିଛି । ଅସହାୟ ଲୋକଙ୍କ ସହାୟତା ପାଇଁ ଅଣ୍ଟା ଭିଡିଥିବା କଳିଙ୍ଗ ସ୍ୱରାଜ ଅଭିଯାନ ଚେଷ୍ଟା ଜାରି ରଖିଛି । ପ୍ରଭାତୀଙ୍କ ସମ୍ପର୍କରେ ସୂଚନା ପାଇବା ପରେ ସେ କେଉଁ ସ୍ଥାନରେ ଅଛନ୍ତି, ସେ ନେଇ ପ୍ରୟାସ ଆରମ୍ଭ କରାଯାଇଥିଲା । ମାସ ମାସ ଧରି ତାଙ୍କୁ ଟ୍ରାକ କରାଯିବା ପରେ ସେ ଗୁଜରାଟସ୍ଥିତ ଭୁଜ୍ ରେ ଥିବା ମାନସିକ ରୋଗ ଚିକିତ୍ସାଳୟରେ ପ୍ରଭାତୀଙ୍କ ସୂଚନା ପାଇଥିଲେ । ପ୍ରଭାତୀଙ୍କୁ ଠାବ କରାଯିବା ପରେ ତାଙ୍କୁ କିପରି ଭାବେ ଓଡ଼ିଶା ଅଣାଯିବ, ସେ ନେଇ ଚେଷ୍ଟିତ ଅଛନ୍ତି ଶିବାଶିଷ ସ୍ୱାଇଁ । ଆଉ ଏଥିପାଇଁ ପ୍ରଶାସନଠାରୁ ଆରମ୍ଭକରି ସାଧାରଣ ଲୋକଙ୍କ ଲୋଡିଛନ୍ତି ସହଯୋଗ ।