ବିଶ୍ବସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ହାତ ପାଆନ୍ତାରେ ମିଳିବ ସବୁ ପ୍ରକାରର ସୁବିଧା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ। ଷ୍ଟୁଡିଓ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀକରଣରେ ବିନିଯୋଗ ହେବ ୨ଶହ କୋଟି। ନୂଆ ଷ୍ଟୁଡିଓରେ ରହିବ ଏକାଧିକ ଇନଡୋର ଷ୍ଟୁଡିଓ। ବିଷୟବସ୍ତୁ ଆଧାରିତ ପାର୍କ ସହ ପୋଷ୍ଟ ପ୍ରଡକସନ୍ ସୁବିଧା ରହିବ। ବିମାନବନ୍ଦର, ରେଳଷ୍ଟେସନ, ବିଲଡିଙ୍ଗ, ହସ୍ପିଟାଲ, ଜେଲ ଓ ପୋଖରୀ ସବୁ କିଛିର ସୁବିଧା ମିଳିବ କଳିଙ୍ଗ ଷ୍ଟୁଡିଓରେ।

ଡବିଂ, ଆନିମେସନ ଭଳି ଅତ୍ୟାଧୁନିକ ସୁବିଧା ମଧ୍ୟ ଉପଲବ୍ଧ ହେବ। ଷ୍ଟୁଡିଓରେ ଶିଶୁ ଉଦ୍ୟାନ, ଓ୍ୱାଟର ପାର୍କ ଓ ସ୍ନୋଓ୍ୱାର୍ଲ୍ଡ ରହିବ। ଏଥିସହ କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଣ୍ଟିନ ବ୍ୟବସ୍ଥା ରହିବ। ଫିଲ୍ମ ସୁଟିଂ ସହ ପର୍ଯ୍ୟଟନକୁ ଗୁରୁତ୍ବ ଦେଇ ଏହାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ୨୫ ଏକର ଜମିରେ ଏହି ବିଶ୍ବସ୍ତରୀୟ ଫିଲ୍ମସିଟି ନିର୍ମାଣ କରାଯିବ। ଷ୍ଟୁଡିଓର ଡିଜାଇନ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ଆର୍କିଟେକ୍ଚର ରୁଚିପୂର୍ଣ୍ଣ ଜେନା। ସେ ବିହାର ଫିଲ୍ମସିଟିର ଡିଜାଇନ ପ୍ରସ୍ତୁତ କରିଥିଲେ। ଆସନ୍ତାକାଲିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଇଡକୋକୁ ଷ୍ଟୁଡିଓ ନବୀକରଣ ଦାୟିତ୍ବ ଦିଆଯାଇଛି।

ଡିସେମ୍ବର ୨୦୨୨ ସୁଦ୍ଧା ନବୀକରଣ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରହିଛି। ଏହି ଷ୍ଟୁଡିଓ ଓଡ଼ିଆ ସିନେମା ଶିଳ୍ପର ବିକାଶ ଦିଗରେ ସହଯୋଗ କରିବା ସହ ଆନୁସଙ୍ଗିକ ଶିଳ୍ପ ପାଇଁ ଭିତ୍ତିଭୂମି ସୃଷ୍ଟି କରିବ। ନୂଆ କଳିଙ୍ଗ ଷ୍ଟୁଡିଓ ସିନେମା ଜଗତ ସହ ଜଡ଼ିତ ୨ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ଦେବ। ଏହାଛଡ଼ା ପ୍ରାୟ ୧୦ହଜାର ଲୋକଙ୍କ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୧୯୮୦ରେ ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଷ୍ଟୁଡିଓ ଓଡ଼ିଆ ସିନେମାକୁ ନୂଆ ଦିଗ ଦେଇଥିଲା। ପୂର୍ବ ଭାରତରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏହା ଏକମାତ୍ର ଫିଲ୍ମ ଷ୍ଟୁଡିଓ। ଏଠାରେ ଅନେକ ଉଚ୍ଚକୋଟୀର ସିନେମା ତିଆରି ହୋଇଛି।

ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାସ୍ତାଠୁ ଆରମ୍ଭ କରି ଏଡିଟିଂ ରୁମ ଓ ଡବିଂ ରୁମ ସବୁକିଛି ପାଇବ ନୂଆରୂପ। ଏଥିସହ କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଣ୍ଟିନ ବ୍ୟବସ୍ଥା ରହିବ। ଫିଲ୍ମ ସୁଟିଂ ସହ ପର୍ଯ୍ୟଟନକୁ ଗୁରୁତ୍ବ ଦେଇ ଏହାର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଶିଳାନ୍ୟାସ ଉତ୍ସବରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଉପସ୍ଥିତ ଥିଲେ।

Leave a Reply