ଆଜିଠୁ କଳିଙ୍ଗରେ କ୍ୱାଲିଫାୟର୍ସ: ଉଦଘାଟନୀ ଉତ୍ସବରେ ଯୋଗଦେବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ
1 min readପୁଣି ଚମକିବ ରାଜଧାନୀ ଭୁବନେଶ୍ୱର। ଦେଖିବାକୁ ମିଳିବ ହକି କ୍ରେଜ। କଳିଙ୍ଗରେ କମାଲ କରିବେ ଭାରତୀୟ ଖେଳାଳି। ଟୋକିଓ ଟିକେଟ୍ ପାଇଁ ହେବ ଟକ୍କର। ଶୁକ୍ରବାର ଓ ଶନିବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ। ପୁରୁଷ ବିଭାଗରେ ଭାରତ- ରୁଷିଆ ଏବଂ ମହିଳା ବିଭାଗରେ ଭାରତ-ଆମେରିକା ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଅଲିମ୍ପିକ ଯିବା ପାଇଁ ଶେଷ ସୁଯୋଗ ହୋଇଥିବାରୁ କେହି କାହାରିକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ସମସ୍ତ ଟିମ୍ ନିଜ ନିଜ ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବେ। ଏଥିପାଇ ଟିମ୍ ବି ପ୍ରସ୍ତୁତ, ଷ୍ଟାଡ଼ିୟମ ବି ପ୍ରସ୍ତୁତି, ଦର୍ଶକମାନେ ମଧ୍ୟ ଖେଳ ଦେଖିବାକୁ ବେଶ ଉତ୍ସାହିତ, କେବଳ ବାକି ରହିଲା ମ୍ୟାଚକୁ।
ଶୁକ୍ରବାର ପ୍ରଥମ ମ୍ୟାଚ୍ ମହିଳା ବର୍ଗରେ ଖେଳାଯିବ। ସନ୍ଧ୍ୟା 6ଟା ବେଳେ ଭାରତ ଓ ଆମେରିକା ମଧ୍ୟରେ ଖେଳାଯିବ ମ୍ୟାଚ। ଏହାପରେ ପୁରୁଷ ବର୍ଗରେ ଟକ୍କର ଦେଖିବାକୁ ମିଳିବ। ରାତି 8ଟାରେ ଭାରତ, ଋଷିଆକୁ ଭେଟିବ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଯୋଗଦେବେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ଏଫଆଇଏଚ୍ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆର ସିଇଓ ଏଲିନା ନର୍ମାନ ଉପସ୍ଥିତ ରହିବେ।
ସେହିପରି ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ମଧ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିବେ। ଅପରାହ୍ନରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କଳିଙ୍ଗ ଷ୍ଟାଡ଼ିୟମରେ ନୂଆ କରି ତିଆରି ହୋଇଥିବା ହାଇପରଫର୍ମାନ୍ସ ସେଣ୍ଟର ପରିଦର୍ଶନ କରିବେ। ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ')}