୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିବ କାଳିଆ କିସ୍ତି, ଝାରସୁଗୁଡାକୁ ବାଦ୍ ଦେଲେ ସରକାର
ଭୁବନେଶ୍ବର: ଉତ୍କଳ ଦିବସରେ ମିଳିବ କାଳିଆ କିସ୍ତି । ଆସନ୍ତାକାଲି ଉତ୍କଳ ଦିବସରେ ଚାଷୀମାନଙ୍କୁ କାଳିଆ କିସ୍ତି ଅର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣ୍ଟନ କରିବେ । ଭିସି ମାଧ୍ୟମରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ଅର୍ଥ ବଣ୍ଟନ କରାଯିବ । ତେବେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷିତ ହୋଇନଥିବାରୁ ଏହି ଜିଲ୍ଲାର ହିତାଧିକାରୀଙ୍କୁ କିସ୍ତି ରାଶି ଉପନିର୍ବାଚନ ପରେ ପ୍ରଦାନ କରାଯିବ ।
୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି । କାଳିଆ ଯୋଜନାର ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି।