ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବର୍କ, ଲୋକେ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ: ଉପାନ୍ତରେ କନ୍ଦାଉଛି ନେଟୱର୍କ । 2 ଜି ବଦଳରେ ଏବେ ଲୋକେ 5 ଜି ଦେଖିସାରିଲେଣି। ଆଉ ଗୋଟିଏ କ୍ଳିକରେ ଦୁନିଆର ସବୁ କଥା ଜାଣିଲେଣି। ହେଲେ ଏବେବି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଲିଗଡ଼ ଗାଁରେ ନେଟୱର୍କ ଲୋକଙ୍କ ପାଇଁ ସାତସପନ ପାଲଟିଛି । କିଏ ହାତରେ ମୋବାଇଲ ଧରି ପଥର ଉପରେ ଠିଆହୋଇ ନେଟୱର୍କ ଖୋଜୁଛି ତ ଆଉ କିଏ ଗଛରେ ଚଡ଼ି ଯାଉଛି । ଗାଁରେ ମୋବାଇଲ ଟାୱାରା ନିର୍ମାଣ ହୋଇଥିଲେ ବି ତାହା ଏପର୍ଯ୍ଯନ୍ତ କାର୍ଯ୍ଯକ୍ଷମ ହୋଇପାରିନାହିଁ ।

କିଏ ଗଛତଳେ, କିଏ ମଞ୍ଚା ଉପରେ, ତ କିଏ ରାସ୍ତା ମଝିରେ। କେହି ଏଠାକୁ ଖୁସିରେ ଯାଇନାହାନ୍ତି।  ଟିକେ ନେଟୱାର୍କ ପାଇବାକୁ ଏ ବିକଳ ଅବସ୍ଥା। ଡିଜିଟାଲ ଯୁଗ, ଡିଟିଟାଲ୍ ଇଣ୍ଡିଆର ବଡ ବଡ ନାରା ଏବଂ ବ୍ଯାନର ପଛପଟେ ଯେମିତି ଲୁଚିଯାଇଛି ପ୍ରକୁତ ସତ୍ଯ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଲିଗଡ଼ ଗାଁରେ ଦେଖିବାକୁ ମିଳୁଛି ଏଭଳି କିଛି ଦୃଶ୍ୟ । ଏଠାକାର ଲୋକେ ଏବେବି ନେଟୱର୍କ ଟିକକ ଖୋଜିଖୋଜି ନୟାନ୍ତ ହେଉଛନ୍ତି । ନେଟୱର୍କ ପାଉନଥିବାରୁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସକୁ ଫୋନ କରିବା ପାଇଁ ହେଉ କି ଶିକ୍ଷକଙ୍କୁ ଏମଡିଏମ ରିପୋର୍ଟ ଦେବା ପାଇଁ ହେଉ ଲୋକଙ୍କୁ ବିପଦପୂର୍ଣ୍ଣ ଭାବେ ଗଛ ଚଢିବାକୁ ପଡୁଛି ।

ଅନ୍ଯପଟେ ଗାଁର ସମସ୍ଯା ସଂପର୍କରେ ଲୋକେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ପରେ ଗାଁରେ ଜାଗା ଚିହ୍ନଟ ହୋଇ ବିଏସଏନଏଲ ଟାୱାର ନିର୍ମାଣ ହୋଇଥିଲା । ଟାୱାର ନିର୍ମାଣକୁ ଏକ ବର୍ଷ ବିତିଯାଇଥିଲେ ବି ଟାୱାର କାର୍ଯ୍ଯକ୍ଷମ ହୋଇପାରିନାହିଁ । ଫଳରେ ଲୋକଙ୍କ ସମସ୍ଯା ସମାଧାନ ହୋଇପାରୁନାହିଁ । ଶୀଘ୍ର ଗାଁରେ ଥିବା ଟାୱାର କାର୍ଯ୍ଯକ୍ଷମ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।