କଳାହାଣ୍ଡି : ମେଡିକାଲ ନିର୍ମାଣ ପାଇଁ ଚିହ୍ନଟ ହୋଇପାରୁନି ଜମି। ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ କର୍ଲାପଡ଼ା ବାସିନ୍ଦା। ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ। ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାର ଡିଣ୍ଡିମ ପିଟୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପୂର୍ବ ସରକାର ସମୟରେ କର୍ଲାପଡ଼ା ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି ହେଲେ ଜମି ଚିହ୍ନଟ ନ ହେବା ଯୋଗୁଁ ବର୍ଷେ ହେଲା ମେଡିକାଲ କୋଠା ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇପାରିନାହିଁ।
କର୍ଲାପଡ଼ା ଗାଁରେ ଅନେକ ସରକାରୀ ଜାଗା ଥିଲେ ମଧ୍ୟ ରାଜସ୍ବ ବିଭାଗ ଜଗା ଚିହ୍ନଟ କରୁନାହିଁ। ବାରମ୍ବାର ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଯାହାକୁ ନେ଼ଇ ଅଞ୍ଚଳବାସୀଙ୍କ ମଧ୍ୟର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଜାଗା ଚିହ୍ନଟ କରି କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ନ କଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଏନେଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପଚାରିବାରୁ, ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତୁରନ୍ତ ଜାଗା ଚିହ୍ନଟ କରି ପ୍ରଦାନ କରଯିବ ବୋଲି କହିଛନ୍ତି । ଗ୍ରାମବାସୀଙ୍କ ସମସ୍ୟାକୁ ପ୍ରଶାସନ କେବେ ଶୁଣୁଛି ଓ କେବେ ନୂତନ କୋଠା ନିର୍ମାଣ ହେଉଛି ତାହା ଦେଖିବାକୁ ବାକି ରହିଲା।

