spot_img

Latest Posts

କାହାର ହେବ କଳାହାଣ୍ଡି ଲୋକସଭା କ୍ଷେତ୍ର ?

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ କଳାହାଣ୍ଡି ଲୋକସଭା ଆସନ। ତିନି ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର। କାହାକୁ ବାଛିବେ ଜନତା ? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାକୁ ନେଇ ଚାଲିଛି ଅଙ୍କ କଷା। ପ୍ରାର୍ଥୀଙ୍କ ଭାଗ୍ଯ ନିରୂପଣ କରିବେ ୧୬ ଲକ୍ଷ ୯୬ ହଜାର ୭୫୯ ଜଣ ଭୋଟର। ତେବେ ବିକାଶ ହିଁ ସାଜିଛି ପ୍ରମୁଖ ମୁଦ୍ଦା।

ସଭା, ସମିତି ଶୋଭାଯାତ୍ରାରେ କମ୍ପୁଛି ମଇଦାନ । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ନାରାରେ କମ୍ପୁଛି ପରିବେଶ । ଗ୍ରାଉଣ୍ଡରେ ବୁଲୁଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା ପରେ ସରଗରମ ହେବାରେ ଲାଗିଛି ରାଜନୈତିକ ପାଣିପାଗ । କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବଢୁଛି ରାଜନୈତିକ ଉଷ୍ମତା । ତେବେ କାହାର ହେବ କଳାହାଣ୍ଡି ଲୋକସଭା ଆସନ ? କାହାକୁ ବାଛିବେ ଭୋଟର ? ତାକୁ ନେଇ ଚାଲିଛି ଅଙ୍କକଷା ।

କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ନିର୍ବାଚନ ମଣ୍ଡଳୀ । ଏଠାରେ  ୧୬ ଲକ୍ଷ ୯୬ ହଜାର ୭୫୯ ଜଣ ଭୋଟର ଥିବାବେଳେ ପୁରୁଷ ଭୋଟର ୮ ଲକ୍ଷ ୪୮ ହଜାର ୯୧୬ ଜଣ । ସେହିପରି ମହିଳା ଭୋଟର ଅଛନ୍ତି ୮ ଲକ୍ଷ ୪୭ ହଜାର ୭୩୬ ଜଣ । ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୬୯ ଜଣ ଅଛନ୍ତି। ଏଥର ନୂତନ ଭାବେ ମତଦାନ କରିବେ ୩୪ ହଜାର ୬୫୮ ଜଣ ଯୁବ ଭୋଟର । ତେବେ ଚଳିତ ଥର ହେଉଛି ତ୍ରିମୁଖୀ ଲଢେଇ । ବିଜେଡିରୁ ଲମ୍ବୋଦର ନିଆଲ , ବିଜେପିରୁ ମାଳବିକା କେଶରୀ ଦେଓ ଏବଂ କଂଗ୍ରେସରୁ ଦ୍ରୌପଦୀ ମାଝୀ ମଇଦାନକୁ ଓହ୍ଲାଇଛନ୍ତି ।

୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଜୟ ହୋଇଥିବା ବେଳେ ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଭକ୍ତ ଚରଣ ଦାସ ପରାଜୟ ହୋଇଥିଲେ । ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ୪ ଲକ୍ଷ ୩୩ ହଜାର ୭୪ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିଲେ । ବିଜେଡିର ପୁଷ୍ପେନ୍ଦ୍ର ସିଂହ ଦେଓ ୪ ଲକ୍ଷ ୬ ହଜାର ୨୬୦, କଂଗ୍ରେସର ଭକ୍ତ ଚରଣ ଦାସ ୩ ଲକ୍ଷ ୧୯ ହଜାର ୨୦୨ ଖଣ୍ଡ ଭୋଟ ପାଇଥିଲେ । ହେଲେ ଚଳିତ ନିର୍ବାଚନରେ ତିନି ଦଳର ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି ।

ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ। କଂଗ୍ରେସ ପ୍ରାର୍ଥୀ ଦୌପଦୀ ମାଝୀ ଦୀର୍ଘ ବର୍ଷ ଧରି କଂଗ୍ରେସର ଜଣେ ନାରୀ ନେତ୍ରୀ ଭାବେ କାମ କରିଆସୁଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାଳବିକା ଦେଓ ରାଜ ପରିବାରର ବୋହୂ ହୋଇଥିବାରୁ ରାଜନୀତିକୁ ବେଶ ନିକଟରୁ ଦେଖିଛନ୍ତି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ବେଶ୍ ରୋଚକ ହେବାରେ ଲାଗିଛି। କଳାହାଣ୍ଡିରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ତେବେ ଜନତାଙ୍କ ମତ ବିକାଶ ଯେଉଁଠି, ଭୋଟ ସେଇଠି ।

Latest Posts

Don't Miss