ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା
ନନ୍ଦିଘୋଷ ବ୍ୟୁରୋ: ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା । ରାତିକ ଭିତରେ ମାଡ଼ି ଯାଉଛି ଏକର ଏକର ଚାଷ ଜମି । କାମ କରୁନି କୀଟ ନାଶକ ଔଷଧ । ଚିନ୍ତାରେ କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଚାଷୀ । ସେପଟେ ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ଯାନ କରିଛନ୍ତି କୃଷି ବିଭାଗ ଅଧିକାରୀ ।
ବାତ୍ଯା ଦାନା ପ୍ରଭାବରେ ବିଲରେ ଧାନ ଚାଷ ନଷ୍ଟ ହୋଇଯାଇଥିଲା । ଏବେ ଯେଉଁଧାନ ଟିକକ ଭଲ ଥିଲା ତାକୁ ଘାରିଲାଣି ରୋକପୋକ ଚିନ୍ତା । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରେ । ଦଣ୍ଡପାଟ ଅଞ୍ଚଳର ବେହେରା, ବାଙ୍କି ମୁଣ୍ଡା, ଦଳ ସର୍ଗୀ ସମେତ ଆଖପାଖ ଅଞ୍ଚଳର ଗାଁ ଗୁଡ଼ିକରେ ଚାଷୀଙ୍କ ନିଦ ହଜେଇ ଦେଇଛି ଚକଡା ପୋକ । ଏଠାରେ ୫ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଥିଲା । ଏବେ ପାଖାପାଖି ଶହେ ହେକ୍ଟର ଜମିରେ ଚକଡା ପୋକ ବା ବିପିଏଚ ରୋଗ ବ୍ଯାପିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।
ଅନ୍ଯପକ୍ଷରେ ଧାନ ଅମଳ ବେଳକୁ ଚକଡା ପୋକ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ରାତି ଭିତରେ ମାଡ଼ି ଯାଉଛି ଏକର ଏକର ଚାଷ ଜମି । ଯେତେ ଔଷଧ ସିଞ୍ଚନ କଲେ ବି ରୋଗପୋକ ନିୟନ୍ତ୍ରଣ ହେଉନଥିବା ଚାଷୀ କହିଛନ୍ତି । ଧାର ଉଧାର କରି ଚାଷୀ ଜମିରେ ସୁନାର ଫସଲ ଫଳାଇଥିଲେ ହେଲେ ଅମଳ ବେଳକୁ ଚାଷ ନଷ୍ଟ ହେବାକୁ ବସିବାରୁ ଚିନ୍ତାରେ ଚାଷୀ । ସେପଟେ ଖବର ପାଇଁ କୃଷି ବିଭାଗ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଜମିରେ ଔଷଧ ସିଞ୍ଚନ କରିବାକୁ ପରାମର୍ଶ ଦେଇଛନ୍ତି ।