ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ୩ ଜଣଙ୍କ ମୃତ୍ୟୁ

1 min read

କଳାହାଣ୍ଡି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ୩ ମୃତ, ୬ ଜଣ ଗୁରୁତର ମେଡିକାଲରେ ଭର୍ତ୍ତି । ବାପାପୁଅ ଓ ପୁତୁରା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ନୂଆଁଖାଇ ପୂର୍ବରୁ ଆଜି ଏହି ଦୁଃଖଦ ଘଟଣା ଘଟିଛି । ହସଖୁସିରେ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ରାସ୍ତାରେ ଯେମିତି କାଳ ଜଗି ବସିଥିଲା । ଅଟୋ -ଟ୍ରକ୍ ମୁହାଁମୁହିଁ ଧକ୍କାରେ ପରିବାର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ଥୁଆମୁଳ- ରାମପୁର ଥାନା ଅନ୍ତର୍ଗତ କାଠକୁରା ଗାଁର ପଦୁସର ନାଏକ ତାଙ୍କ ପରିବାର ଲୋକଙ୍କ ସହ ଧର୍ମଗଡ଼ ଥାନା ଛିଲପା ଗାଁରେ ଥିବା ସମ୍ପର୍କୀୟଙ୍କ ଘରକୁ ଏକ ଅଟୋରେ ଯାଉଥିଲେ । ଜୁନାଗଡ଼ ଥାନା ଅନ୍ତର୍ଗତ ଦାସୀଗାଁ ନିକଟ ବୁଲାଣିରେ ଅଟୋକୁ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋଟି ଓଲଟି ପଡ଼ିଥିବା ବେଳେ ପଦୁସର ନାଏକ, ପୁଅ କୃଷ୍ଣ ନାଏକ ଓ ପୁତୁରା ଅମୃତସର ନାଏକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ୬ ଜଣ ଆହତଙ୍କୁ ଓଡ୍ରାଫ ଓ ପୋଲିସ କର୍ମଚାରୀ ଉଦ୍ଧାର କରି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।