ସୁଡସୁଡିଆ ଗାଁକୁ ଛାରଖାର କଲା କାଳବୈଶାଖୀ

ଉଦଳା: କପ୍ତିପଦା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ପୂରା ଗାଁକୁ କରି ଦେଲା ଛାରଖାର । କାଳବୈଶାଖୀ ପ୍ରଭାବରେ କପ୍ତିପଦା ବ୍ଲକର ସୁଡସୁଡିଆ ଗାଁରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଲୋକଙ୍କ ଘରର ଛପର ଉଡ଼ି ଯାଇଛି । ବିରାଟ ବିରାଟ ଗଛ ଭାଙ୍ଗି ତଳେ ଲୋଟୁଛି ।

ଗତକାଲି ରାତିରେ ହଠାତ ବର୍ଷା ସହ ପ୍ରବଳ ବେଗରେ ପବନ ହୋଇଥିଲା । ଫଳରେ ଗାଁରେ ଥିବା ବିଦ୍ୟାଳୟର ଛପର ଉଡ଼ିଯାଇଥିଲା । ବିରାଟ ବିରାଟ ଗଛ ଭାଙ୍ଗି ପଡ଼ିବା ଦ୍ବାରା ଲୋକଙ୍କ ଘର ବି ଭାଙ୍ଗି ଯାଇଛି । କାଳବୈଶାଖୀ ପ୍ରଭାବରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଗ୍ରାମବାସୀ ।

ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛକୁ ହଟାଇଛି । ଏହାସହ ଲୋକଙ୍କ ଘର ଉପରେ ପଡ଼ିଥିବା ଗଛକୁ କାଟି ସଫା କରାଯାଇଛି । କାଳବୈଶାଖୀ ମାଡ଼ରେ ପୂରା ଗାଁ ଛାରଖାର ହୋଇଯାଇଥିଲେ ବି କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି ।