ବିମଳାଙ୍କ ପ୍ରତିନିଧି ମା’ କାକୁଡ଼ିଖାଇ

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରର ସବୁ ପୀଠ ମଧ୍ୟରେ ଅନ୍ୟତମ ପ୍ରମୁଖ ଶକ୍ତି ପୀଠର ମାନ୍ୟତା ପାଇଛି ମା’କାକୁଡ଼ିଖାଇ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଶାରଦୀୟ ପୂଜାକୁ ବିଶେଷ ଆଡ଼ମ୍ବର ସହକାରେ ପାଳନ କରାଯାଉଛି । ଏହି ପୀଠରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତିକୁ ମା’ ବିମଳାଙ୍କ ସ୍ୱରୂପ ଭାବେ ବିବେଚନା କରାଯାଉଛି। ଆଜି ଆଶ୍ୱିନ ଶୁକ୍ଳ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଏହି ପୀଠରେ କାକୁଡ଼ିଖାଇଙ୍କ ଶାରଦୀୟ ପୂଜାର ରୀତିନୀତି ଅନୁପାଳନ ହେବାର ପରମ୍ପରା ରହିଛି। ଦେବୀଙ୍କ ମୃଣ୍ମୟ ପ୍ରତିମାର ନିର୍ମାଣ ଷଷ୍ଠୀ ଓଷା ଠାରୁ ଆରମ୍ଭ ହୋଇଛି l ଏଠାକୁ ଶ୍ରୀମନ୍ଦିରରୁ ଶ୍ରୀଜଗନ୍ନାଥଙ୍କ ଓଲାଗିପାଟ ଓ ପ୍ରସାଦ ଆସିଥାଏ। ଆଜି ସପ୍ତମୀ ଦିନରେ ଖଣ୍ଡା ପୂଜା ପରେ ଅଷ୍ଟମୀରେ ଉଗ୍ରବଳି ହୋଇଥାଏ । ନାମ ଦୃଷ୍ଟିରୁ ମା’ଙ୍କ ପୀଠରେ କାକୁଡ଼ି ଓ କୁଷ୍ମାଣ୍ଡ ବଳିର ବହୁଳ ଭାବେ ପ୍ରଚଳନ ଥିଲେ ମଧ୍ୟ ଅଷ୍ଟମୀ ଓ ନବମୀରେ ପଶୁବଳିର ନିଆରା ପରମ୍ପରା ରହିଛି । ମା’ ବିମଳାଙ୍କ ଠାରୁ ଖଡ୍‌ଗ ଆସିଲା ପରେ ଏଠାରେ ସେହି ଖଡ୍‌ଗରେ ବଳି ଚ୍ଛେଦ ହୁଏ । ଦଶହରା ଦିନ ଶାନ୍ତିପଣା ଅର୍ପଣ ପରେ ଘଟ ଆସିଥିବା ଅଣତୁଠରେ ହିଁ ଦେବୀଙ୍କର ମୃଣ୍ମୟୀ ପ୍ରତିମାଙ୍କ ବିସର୍ଜନ କରିବାର ନିୟମ ରହିଛି । କାକୁଡିଖାଇଙ୍କ ପାଇଁ ନିର୍ମିତ ମେଢ଼କୁ ରୂପା ଛାଉଣୀ କରାଯାଇଛି ।  ରୂପା ମେଢ଼ରେ ବିଜେ ଠାକୁରାଣୀଙ୍କୁ ରୂପାର କିରିଟୀ ସହ ଅନ୍ୟ ଅସ୍ତ୍ରଶସ୍ତ୍ର, ଅଳଙ୍କାର ଲାଗି ହେଉଛି । ଭକ୍ତମାନେ ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶହରା ଦିନ ବିଭିନ୍ନ ବେଶରେ ମା’ କାକୁଡ଼ିଖାଇଙ୍କ ଦର୍ଶନ କରିବା ସହ ଆମିଷଭୋଗ ପାଇବାର ବ୍ୟବସ୍ଥା ମଧ୍ୟ ରହିଛି ।