କାବୁଲରେ ହୋଇଥିବା ବିସ୍ଫୋରଣ ଟାର୍ଗେଟରେ ଥିଲେ ଆମେରିକୀୟ ସେନା, ISIS-K ନିଜକୁ କଲା ଦାୟୀ

1 min read

ନୂଆଦିଲ୍ଲୀ: ତାଲିବାନର ଆତଙ୍କ ଭିତରେ ମୁଣ୍ଡ ଟେକିଛି ଆଉ ଏକ ଆତଙ୍କବାଦୀ ସଂଗଠନ। ଆଫଗାନିସ୍ତନା ଏବଂ ତାଲିବାନ ବିବାଦ ଭିତରେ ଧସେଇ ପଶିଛି ଏହି ସଂଗଠନ। ସଂଗଠନର ନାଁ ହେଉଛି ଇସଲାମିକ୍ ଷ୍ଟେଟ୍ ଖୁରାସାନ୍ (isis-K)। ଖୁରାସନ ସଂଗଠନ ନିଜକୁ କାବୁଲ ବିମାନବନ୍ଦରରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ବୋଲି କହିଛି। ଏହି ଆକ୍ରମଣରେ ୧୩ ଜଣ  ଆମେରିକୀୟ ସୈନିକଙ୍କ ସମେତ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଆକ୍ରମଣର ଟାର୍ଗେଟରେ ଥିଲେ ଆମେରିକୀୟ ସେନା ବୋଲି ଏକ ରିପୋର୍ଟରୁ ଜଣା ପଡ଼ିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆଫଗାନିସ୍ତାନ ଏବଂ ପାକିସ୍ତାନରେ କାର୍ଯ୍ୟ କରୁଥିବା ଇସଲାମିକ୍ ଷ୍ଟେଟର ଏକ ଆଞ୍ଚଳିକ ଗୋଷ୍ଠୀ ଖୁରାସାନ ଦୀର୍ଘ ଦିନ ଧରି ଆମେରିକାର ସେନା ଉପରେ ଆକ୍ରମଣ ଯୋଜନା କରିଆସୁଥିଲା।

ଖାଲି ସେତିକି ନୁହେଁ ଖୁରାସାନ୍ ଆତଙ୍କବାଦୀ ସଂଗଠନ କାବୁଲ ସମେତ ଅନ୍ୟାନ୍ୟ ସହରରେ ଅନେକ ଥର ଆତ୍ମଘାତୀ ଆକ୍ରମଣ କରିଛି। ଉଭୟ ସରକାର ଏବଂ ବିଦେଶୀ ସୈନିକଙ୍କ ବିରୋଧରେ ଏହି ଆକ୍ରମଣ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ନିଜକୁ ଅଧିକ ହିଂସାତ୍ମକ ଆତଙ୍କବାଦୀ ସଂଗଠନ ଭାବରେ ଉପସ୍ଥାପନ କରିବାକୁ ସଂଗଠନ ଏହି ସବୁ ଆକ୍ରମଣ କରିଥିଲା।

୨୦୧୪ ରେ ପୂର୍ବ ଆଫଗାନିସ୍ତାନରେ ପ୍ରଥମେ ସକ୍ରିୟ ହୋଇଥିଲା ଏହି ସଂଗଠନ। ଯେଉଁଠାରୁ ସେ ତାର ଘୃଣ୍ୟ ଏବଂ ନିଷ୍ଠୁରତାର ଚିହ୍ନ ଛାଡିଥିଲା। ଖୁରାସନ ସଂଗଠନ ସହ ପାକିସ୍ତାନର ଶତାଧିକ ତାଲିବାନୀ ଜଡିତ ହେବାପରେ ଆରମ୍ଭ ହୋଇଥିଲା ଅତ୍ୟାଚାର। ସେନା ସହାୟତାରେ ସେମାନଙ୍କୁ ବାହାର କରାଯିବା ପରେ ଏହି ସଂଗଠନ ଆଫଗାନିସ୍ତାନର ସୀମାରେ ଆସି ବର୍ବରତାର କାହାଣୀ ରଚିବା ଆରମ୍ଭ କରିଥିଲା।

ଏହି ସଂଗଠନର ଶକ୍ତି ଏଥିପାଇଁ ବୃଦ୍ଧି ପାଇଲା କାରଣ ତାଲିବାନ ପଶ୍ଚିମ ଦେଶ ଏବଂ ଚିନ୍ତାଧାରା ପ୍ରତି ନରମ ହୋଇଗଲା। ଏଭଳି ପରିସ୍ଥିତିରେ ଅସନ୍ତୁଷ୍ଟ ତାଲିବାନୀ ଖୁରାସନକୁ ଯିବା ଆରମ୍ଭ କରିଥିଲା।ଖୁରାସନରେ ସିରିଆ ଏବଂ ଅନ୍ୟ ବିଦେଶୀ ଉଗ୍ରବାଦୀ ସଂଗଠନ ମଧ୍ୟ ଅଛନ୍ତି। ଆମେରିକା କହିଛି ଏହି ଦଳର ୧୦ ରୁ ୧୫ ପ୍ରମୁଖ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି।

ଯଦି ଦେଖିବା ଖୁରାସାନ ଏବଂ ତାଲିବାନ ଉଭୟ କଟର ସୁନ୍ନି ଇସଲାମ ଆତଙ୍କବାଦୀ । ତଥାପି ଉଭୟ ପରସ୍ପରକୁ ବିରୋଧ କରନ୍ତି। ଅନେକ ପ୍ରସଙ୍ଗରେ ଖୁରସାନ ଏବଂ ତାଲିବାନ ମଧ୍ୟରେ ମତଭେଦ ରହିଛି। ଖୁରସାନ ତାଲିବାନ ଉପରେ ଅଭିଯୋଗ କରିଛି ଯେ ତାଲିବାନ ଯୁଦ୍ଧକ୍ଷେତ୍ର ଏବଂ ଜିହାଦ୍ ଛାଡି ଦୋହା ଏବଂ କତାରର ବଡ ହୋଟେଲରେ ବସି ଶାନ୍ତି ଚୁକ୍ତି କରୁଛି। ସେପଟେ ଷ୍ଟାନଫୋର୍ଡ ୟୁନିଭରସିଟିର ଆନ୍ତର୍ଜାତୀୟ ସୁରକ୍ଷା ଏବଂ ସହଯୋଗ କେନ୍ଦ୍ର ଅନୁଯାୟୀ, ଦୁଇ ସଂଗଠନ ମଧ୍ୟରେ ଆଦର୍ଶର ପାର୍ଥକ୍ୟ ରହିଛି। ଏହା ସହିତ, ସମ୍ବଳ ବିବାଦ ମଧ୍ୟ ଉଭୟଙ୍କ ମଧ୍ୟରେ ଲଢ଼େର ଏକ ବଡ଼ କାରଣ।

Leave a Reply