୨୦୦ କୋଟି ଟର୍ଣ୍ଣ ଓଭର ହେବା ପରେ ୧୨ କର୍ମଚାରୀଙ୍କୁ SUV କାର ଗିଫ୍ଟ କଲେ ଜୁଏଲରୀ ବ୍ୟବସାୟୀ

1 min read

ଅହମ୍ମଦାବାଦ: କମ୍ପାନୀର ଟର୍ଣ୍ଣ ଓଭର ୨୦୦ କୋଟି ହେବାରୁ ୧୨ କର୍ମଚାରୀଙ୍କୁ SUV କାର ଗିଫ୍ଟ କଲେ ମାଲିକ । ଗୁଜରାଟର ଖେଡ଼ା ଜିଲ୍ଲାରୁ ଆସିଛି ଏପରି ଖବର । କାବରା ଜୁଏଲ୍ସ କମ୍ପାନୀର ମାଲିକ ୧୨ ପୁରାତନ କର୍ମଚାରୀଙ୍କୁ SUV କାର ଗିଫ୍ଟ କରିଛନ୍ତି । ଏହାବାଦ କର୍ମଚାରୀଙ୍କୁ ବାଇକ, ମୋବାଇଲ, ଫ୍ୟାମିଲି ହଲିଡେ ପ୍ୟାକେଜ, ଓ ସୁନା-ରୁପା କଏନ ବି ଗିଫ୍ଟରେ ଦିଆଯାଇଛି । ଏହି ଅବସରରେ କମ୍ପାନୀ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କର୍ମଚାରୀଙ୍କୁ SUV କାର ଦିଆଯାଇଥିଲା । କାବରା ଜୁଏଲ୍ସ ଆଇପିପି ଲିଷ୍ଟେଡ କମ୍ପାନୀ । ଗତ ଆର୍ଥିକ ବର୍ଷ କମ୍ପାନୀ ୧୭୦ କୋଟି ଟଙ୍କା ରୋଜଗାର କରିଥିଲା ।

୨ରୁ ୨୦୦ କୋଟିର ବ୍ୟବସାୟ

ସୂଚନାଯୋଗ୍ୟ, ଖେଡ଼ା ଅଞ୍ଚଳର ଦୁଇ ଭାଇ କାବରା ଜୁଏଲ୍ସ ଲିମିଟେଡେ ନାଁରେ ୨୦୦୬ରେ କେ.କେ. ଜୁଏଲ୍ସ ବ୍ରାଣ୍ଡ ଆରମ୍ଭ କରିଥିଲେ । ସେହି ବର୍ଷ କମ୍ପାନୀର ପ୍ରଥମ ଶୋ’ରୁମ ଖୋଲିଥିଲା । ଉକ୍ତ ବର୍ଷ କମ୍ପାନୀ ୨ କୋଟି ଟଙ୍କାର ବେପାର କରିଥିଲା । ଆଉ ୨୦୨୪ରେ କମ୍ପାନୀ ୨୦୦ କୋଟି ଟଙ୍କାର ବେପାର କରିଛି । କମ୍ପାନୀର ପ୍ରତିଷ୍ଠାତା ଏମଡି କୈଳାଶ କାବରା ବ୍ୟବସାୟକୁ ନେଇ ଖୁସି ପ୍ରକାଶ କରିବା ସହ କହିଛନ୍ତି, ୨୦୦୬ରେ ୧୨ ଜଣ କର୍ମଚାରୀଙ୍କୁ ନେଇ କମ୍ପାନୀ ଆରମ୍ଭ କରିଥିଲି । ମୁଁ ନିଜ ପାଇଁ ବହୁତ ଦାମୀ ଗାଡ଼ି କିଣିଛି । ହେଲେ, କମ୍ପାନୀ ସହ ଆରମ୍ଭରୁ ଥିବା ଉକ୍ତ ୧୨ ଜଣ କମର୍ଚାରୀଙ୍କୁ ଆଜି କାର ଗିଫ୍ଟ କରି ଖୁସି ଲାଗୁଛି ।

କାହା ପାଖରୁ ପାଇଥିଲେ ପ୍ରେରଣା ?

କୈଳାଶ କାବରା କହିଛନ୍ତି, ତାଙ୍କୁ ଏହି ପ୍ରେରଣା ହୀରା ବ୍ୟବସାୟୀ ସାବଜୀ ଢୋଲକିୟାଙ୍କଠାରୁ ମିଳିଛି । ତାଙ୍କୁ ହୀରା ଇଣ୍ଡଷ୍ଟ୍ରୀର କିଙ୍ଗ କୁହାଯାଏ । ସେ ଏମିତି (ଗିଫ୍ଟ) କରିବା ମୁଁ ଦେଖିଛି । ସେତେବେଳେ ମୁଁ ଓ ମୋ ଭାଇ ସ୍ଥିର କରିଥିଲୁ ଯେ, ଅଡି, ବିଏମଡବ୍ଲ୍ୟୁ ଓ ମର୍ସଡିଜ ନନେଇ ଯେତେବେଳେ କମ୍ପାନୀ ୨୦୦ କୋଟି ଟଙ୍କାର ଟର୍ଣ୍ଣ ଓଭର ହାସଲ କରିବ ସେତେବେଳେ ଆମେ ବି ଏମିତି ଗିପ୍ଟ ଦେବା । ଆଜି ଏହା କରି ପାରିଥିବାରୁ ଆମେ ବହୁତ ଖୁସି । କମ୍ପାନୀ ତରଫରୁ ସବୁଠୁ ପୁରାଣା ୧୨ କର୍ମୀଚାରୀଙ୍କୁ ଧନ୍ୟବାଦ । ସେମାନଙ୍କ ବିନା ଆମେ ଆଜି ଏହି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନଥାନ୍ତୁ ।