ମା’ କାଳୀଙ୍କ ହାତରେ ସିଗାରେଟ୍, ଲୋକଙ୍କ ମଧ୍ୟରେ ଅସନ୍ତୋଷ

2 min read

ନୂଆଦିଲ୍ଲୀ: ମା’ କାଳୀଙ୍କ ହାତରେ ସିଗାରେଟ୍ । ଗୋଟିଏ ହାତରେ ଖଣ୍ଡା ଏବଂ ତ୍ରିଶୂଳ, ଆଉ ଅନ୍ୟ ହାତରେ ସିଗାରେଟ୍ ଧରିଛନ୍ତି ମା’ କାଳୀ । ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’କୁ ନେଇ ଏବେ ଦେଖାଦେଇଛି ବିବାଦ । ୨ ଜୁଲାଇରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଫିଲ୍ମର ପୋଷ୍ଟରରେ ମା’ କାଳୀ ସିଗାରେଟ ଟାଣୁଛନ୍ତି ।

ଏହା ରିଲିଜ୍ ହେଲା ପରେ ଫିଲ୍ମମେକର୍ ଲୀନା ମାନିମେକାଲାଇଙ୍କୁ ଗିରଫ କରିବାକୁ ଦାବି ହେଉଛି । ଏପରିକି ସୋସିଆଲ ମିଡିଆରେ #arrestleenamanimekalai ଟ୍ରେଣ୍ଡ କରୁଛି । ଲୋକଙ୍କର କହିବା କଥା ହେଲା ମା’ କାଳୀଙ୍କୁ ଏଠାରେ ଅପମାନ କରାଯାଇଛି । ଲୀନାଙ୍କ ଉପରେ ହିନ୍ଦୁ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ କାଳୀଙ୍କ ହାତରେ ଏଲଜିବିଟି ସମ୍ପ୍ରଦାୟର ପତାକା ବି ରହିଛି । ପୋଷ୍ଟରରେ ମା’ କାଳୀଙ୍କୁ କଦର୍ଥ କରିଥିବାରୁ ଏହାକୁ ଜୋରଦାର୍ ବିରୋଧ କରାଯାଉଛି ।

ଲୋକଙ୍କ କହିବା କଥା ହେଲା ଯଦି ହିନ୍ଦୁ ଧର୍ମର ସମ୍ମାନ କରିପାରନ୍ତି ନାହିଁ ତାହାଲେ ତାଙ୍କୁ ଅପମାନିତ କରିବାର ବି କୌଣସି ଅଧିକାର ନାହିଁ । କାନାଡାରେ ଥିବା ଲୀନାଙ୍କୁ ଭାରତ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋସିଆଲ ମିଡିଆ ୟୁଜର୍ ଦାବି କରିଛନ୍ତି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଫିଲ୍ମ ମେକର ଲୀନା ଏହି ଫିଲ୍ମର ପୋଷ୍ଟର ସେଆର କରି କହିଥିଲେ, ତାଙ୍କର ଏହି ପିଲ୍ମକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି। ସେ ନିଜର ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ମଧ୍ୟ ଥିଲେ। କିନ୍ତୁ ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।