ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କ ସହ ରହିଛି ସମ୍ପର୍କ : ମାନିଲେ ଜ୍ୟୋତି !

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କ ସହ ରହିଛି ସମ୍ପର୍କ। ହରିୟାଣାର ୟୁଟ୍ଯୁବର ଜ୍ୟୋତି ମାଲହୋତ୍ରା ଏହା ମାନିଥିବା ସୂଚନା ମିଳିଛି। ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନର ତତକାଳୀନ କର୍ମକର୍ତ୍ତା ଡାନିସଙ୍କ ସହ ତାଙ୍କର ସମ୍ପର୍କ ଥିବା ସେ ସୂଚନା ଦେଇଛନ୍ତି। ୨୦୨୩ରେ ପ୍ରଥମ ଥର ଲାଗି ଡାନିସଙ୍କ ସହ ଯୋଗାଯୋଗରେ ଆସିଥିଲେ ଜ୍ୟୋତି। ପାକିସ୍ତାନକୁ ଯିବା ସକାଶେ ଭିସା ଲାଗି ସେ ଡାନିସଙ୍କୁ ଯୋଗାଯୋଗ କରିଥିବା ଜ୍ୟୋତି କହିଥିବା ସୂଚନା ମିଳିଛି। ଅପରେସନ ସିନ୍ଦୂର ପରେ ଗତ ମେ ୧୩ରେ ଡାନିସଙ୍କୁ ବହିଷ୍କାର କରାଯାଇଥିଲା। ସେପଟେ ଜ୍ୟୋତିଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି କୋଲକାତାର ୟୁଟ୍ୟୁବର ସୌମିତ ଭଟ୍ଟାଚାର୍ଯ୍ୟ।  ସେ କହିଛନ୍ତି- ଜ୍ୟୋତିଙ୍କୁ ସେ ଏନେଇ ସନ୍ଦେହ କରିପାରୁନାହାନ୍ତି। ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ବେଳେ ଜ୍ୟୋତିଙ୍କ ସହ ତାଙ୍କର ଦେଖା ହୋଇଥିଲା ବୋଲି କହିଛନ୍ତି ସୌମିତ। ପାକ୍ ଲିଙ୍କ ନେଇ ହୋଇଥିବା ଅଭିଯୋଗ ଖବର ଶୁଣି ସେ ହତବାକ ହୋଇଯାଇଥିଲେ ବୋଲି କହିଛନ୍ତି ସୌମିତ। ଜ୍ୟୋତିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଓ ଅଫିସିଆଲ ସିକ୍ରେଟ ଆକ୍ଟ-୧୯୨୩ ଅନୁସାରେ ମାମଲା ରୁଜୁ ହୋଇଛି।