ପ୍ରଚାର ବେଳେ କ’ଣ ଏମିତି କହିଲେ ସିନ୍ଧିଆ ? ପଦ୍ମ ବଦଳରେ ହାତ ଚିହ୍ନରେ ଭୋଟ ମାଗିଲେ !

1 min read
Jyotiaditya-Scindia

ନୂଆଦିଲ୍ଲୀ: କ’ଣ ଏମିତି କହିଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ ? କହୁ କହୁ ପାଟିରୁ ଖସିଗଲା କି ମନ ଭିତର କଥା ? ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ସିନ୍ଧିଆ ଜୋସ୍‌ରେ ଆସି ହୋସ୍‌ ହରେଇ ବସିଲେ । ବିଜେପିର ରାଜ୍ୟସଭା ସାଂସଦ ଥାଇ କଂଗ୍ରେସକୁ ଭୋଟ ଦିଅ କହିଲେ ।

ନଭେମ୍ବର ୩ରେ ମଧ୍ୟପ୍ରଦେଶରେ ଉପନିର୍ବାଚନ ହେବାକୁ ଯାଉଛି । ଏ ନେଇ ସବୁ ଦଳର ନେତା ଭୋଟ ହାତେଇବା ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜ ଦଳ ବିଜେପି ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ଶିବ୍‌ରାଜ ସିଂହ ଚୌହାନଙ୍କ ସହ ମିଶି ସିନ୍ଧିଆ ମଧ୍ୟପ୍ରଦେଶର ୨୮ଟି ସିଟ୍‌ ପାଇଁ ମାରାଥନ ରାଲି କରୁଛନ୍ତି । ଆଉ ଏହି ରାଲି ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।

Scindia

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଥିବା ଡାବ୍ରା ସହରରେ ବିଜେପି ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଥିଲେ ସିନ୍ଧିଆ । ସେଠାରେ ଜନସମୂଦ୍ର ଦେଖି ସିନ୍ଧିଆ ଅତ୍ୟନ୍ତ ଜୋସରେ ଥିଲେ । ଆଉ ଅଧିକ ଜୋସକୁ ଆସି ନିଜର ହୋସ୍‌ ହରେଇ ବସିଲେ । ଇମର୍ତ୍ତୀ ଦେବୀଙ୍କ ପାଇଁ ଭୋଟ ମାଗୁଥିବା ବେଳେ କହିଲେ ହାତ ଚିହ୍ନରେ ଭୋଟ ଦେବ । ଅବଶ୍ୟ ସାଙ୍ଗେ ସାଙ୍ଗେ ସେ ନିଜ ଶବ୍ଦ ଫେରାଇ ନେଇ ବିଜେପିରେ ଭୋଟ ଦେବାକୁ କହିଛନ୍ତି । ହେଲେ ସେଠାରେ ଉପସ୍ଥିତ ଥିବା ଜନସାଧାରଣ ସିନ୍ଧିଆଙ୍କ ଏହି ଭାଷଣର ଭିଡିଓ ଉତ୍ତୋଳନ କରିସାରିଥିଲେ । ଆଉ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସବୁଠାରୁ ବଡ଼ କଥା ହେଲା ଖୋଦ୍‌ କଂଗ୍ରେସ ହିଁ ଏହି ଭିଡିଓକୁ ଏଡିଟ୍‌ କରି ନିଜ ସୋସିଆଲ ମିଡିଆ ପେଜ୍‌ରେ ପୋଷ୍ଟ କରିଛି । ଯାହାକୁ ନେଇ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply