ନାବାଳକଙ୍କୁ ଘାରିଛି ଭାଇଗିରି ନିଶା, ପରିବର୍ତ୍ତିତ ଜୀବନଶୈଳୀରେ ବଞ୍ଚିବାକୁ ସାଜୁଛନ୍ତି କ୍ରିମିନାଲ
ନନ୍ଦିଘୋଷ ବ୍ୟୁରୋ: ଆଇନକୁ ହାତକୁ ନେଉଛନ୍ତି ନାବାଳକ । ଭାଇ ବନିବା ପାଇଁ କରୁଛନ୍ତି ଭିଡିଓ ଭାଇରାଲ । ପରିବର୍ତ୍ତିତ ଜୀବନଶୈଳୀରେ ବଞ୍ଚିବା ପାଇଁ ବାରମ୍ବାର ଆଇନକୁ ହାତକୁ ନେଉଛନ୍ତି । POCSO କେସ କମାଇବା ପାଇଁ ବାରମ୍ବାର ପୋଲିସ ପକ୍ଷରୁ ସଚେତନତା କରାଯାଉଥିବା ବେଳେ ନିତିଦିନର ଘଟଣା ଏବେ ଚିନ୍ତାର କାରଣ ସାଜିଛି । ସେପଟେ ବାଳ ସୁଧାର ଗୃହ ନଥିବାରୁ ତଦନ୍ତକାରୀ ସଂସ୍ଥାର ବଢୁଛି ମୁଣ୍ଡବିନ୍ଧା ।
ଲକ୍ଜରି ଲାଇଫ ଷ୍ଟାଇଲ ପାଇଁ କ୍ରିମିନାଲ ବନୁଛନ୍ତି ନାବାଳକ । ପାଠପଢ଼ା ବୟସରେ ଭିଆଉଛନ୍ତି ନାରକୀୟ କାଣ୍ଡ । ନାବଳକଙ୍କୁ ସୁଧାର ଗୃହରେ ଛାଡିବା ଏବେ ବଡ଼ ଚ୍ୟାଲେଞ୍ଜ । ରାଜଧାନୀରେ ବାଳ ସୁଧାର ଗୃହ କରିବା ପାଇଁ ଦାବି । କୋମଳ ମତି ବୟସରେ ଏମାନଙ୍କ କାଣ୍ଡ ଦେଖିଲେ, ଛାତି ଥରି ଉଠିବ । ଗତ ୩୧ ଅକ୍ଟୋବରରେ ଘଟିଥିବା ଦୁଇଟି ଘଟଣା ଚିନ୍ତା ବଢ଼ାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା l ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏକ ନିକାଞ୍ଚନ ସ୍ଥାନକୁ ନେଇ ମାରପିଟ କରିଥିଲେ l ପୋଲିସ ଘଟଣାରେ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଅଧିକାଂଶ ଥିଲେ ନାବାଳକ । ସମାନ ଢଙ୍ଗରେ ସେହିଦିନ ଏୟାରଫିଲ୍ଡ ଥାନା ଅଞ୍ଚଳରେ ତ୍ରିକୋଣୀୟ ପ୍ରେମକୁ ନେଇ ହୋଇଥିଲା ଫାଇଟ । ଆଉ ଫାଇଟର ସାଜିଥିଲେ କୋମଳମତି ପିଲା । ଏଭଳି ଅନେକ ଘଟଣା ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାଳ ଅପରାଧୀଙ୍କୁ କାବୁ କରିବା ପରେ ଭୁବନେଶ୍ୱରରେ ବାଳ ସୁଧାର ଗୃହ ନଥିବାରୁ ସେମାନଙ୍କୁ ବ୍ରହ୍ମପୁର କିମ୍ବା ଅନୁଗୁଳ ନେବାକୁ ପଡୁଛି । ୩ ବର୍ଷରୁ କମ ଦଣ୍ଡାଦେଶ ଥିବା କେସରେ ସେମାନଙ୍କ ବିରୋଧରେ ଏତଲା ମଧ୍ୟ ହୋଇପାରୁନାହିଁ । ପ୍ରତିମାସରେ ୨୦ରୁ ଊର୍ଦ୍ଧ୍ବ ବାଳ ଅପରାଧୀ ଭୁବନେଶ୍ୱର ୟୁପିଡ଼ିରୁ ଧରାପଡୁଥିବା ବେଳେ ସେମାନଙ୍କୁ ସୁଧାର ଗୃହକୁ ପଠାଇବା କଷ୍ଟକର ହୋଇପଡୁଛି । ଗତ ୧୭ ତାରିଖରେ ଭୁବନେଶ୍ୱର ଅବକାରୀ ଟିମ କନ୍ଧମାଳରୁ ଆସୁଥିବା ବିପୁଳ ଗଞ୍ଜେଇ ଜବତ କରିଥିଲା । ୪ ଜଣ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ସେମାନଙ୍କ ଭିତରୁ ଦୁଇଜଣ ଥିଲେ ନାବାଳକ । ସେମାନଙ୍କୁ ସୁଧାର ଗୃହରେ ଛାଡିବା ପାଇଁ ଶେଷରେ ଅବକାରୀ ବିଭାଗକୁ ନୟାନ୍ତ ହେବାକୁ ପଡିଥିଲା ।
କେବଳ ଏହି ଘଟଣା ନୁହେଁ, ଜଟଣୀରେ ବର୍ଷକ ତଳେ ହୋଇଥିବା ମର୍ଡର ଓ ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ମଧ୍ୟ ନାବାଳକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଯାହାକୁ ନେଇ ପୂର୍ବରୁ ଉଦବେଗ ପ୍ରକାଶ କରିଛି NCRB ।

