ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଟ୍ରାନ୍ସଫରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ, ଘରୁ ଅଧାପୋଡ଼ା ନୋଟ ମିଳିବା ପରେ ବିବାଦରେ ଥିଲେ ଜଜ୍

ନୂଆଦିଲ୍ଲୀ: ଘରୁ ଅଧାପୋଡ଼ା ନୋଟ ମିଳିବା ପରେ ବିବାଦ ଘେରରେ ରହିଥିଲେ ଜଷ୍ଟିସ ଯଶବନ୍ତ ବର୍ମା  । ଏବେ ନୂଆ ସ୍ଥାନକୁ ଯିବେ ଜଷ୍ଟିସ ବର୍ମା । ତାଙ୍କର ଟ୍ରାନ୍ସଫରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଛନ୍ତି । ଏବେ ଜଷ୍ଟିସ ବର୍ମା ଆହ୍ଲାବାଦ ହାଇକୋର୍ଟର ଜଜ୍ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ଏଥିସହିତ ଦିଲ୍ଲୀ ହାଇକୋର୍ଟର ଅନ୍ୟ ଜଣେ ଜଜ ଜଷ୍ଟିସ ଚନ୍ଦ୍ରଧାରୀ ସିଂହଙ୍କ ଟ୍ରାନ୍ସଫର ମଧ୍ୟ ଆହ୍ଲାବାଦ ହାଇକୋର୍ଟକୁ କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ମଞ୍ଜୁରୀ ଦେଇଛନ୍ତି । ଜଷ୍ଟିସ ବର୍ମାଙ୍କ ଘରୁ ବହୁମାତ୍ରାରେ ଅଧାପୋଡ଼ା ନୋଟ ମିଳିବା ବିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, ଘରୁ କ୍ୟାଶ ମିଳିବା ମାମଲାର ଯାଞ୍ଚ ପାଇଁ ଭାରତର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ମାର୍ଚ୍ଚ ୨୨ରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ତିନି ସଦସ୍ୟ ବିଶିଷ୍ଟ ଅନ୍ତରୀଣ ଯାଞ୍ଚ ଆରମ୍ଭ କରିଥିଲେ । ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନ ପରିସରରେ ନୋଟର ବିଡ଼ା ମିଳିଥିଲା, ଯେଉଁଠାରେ କି ମାର୍ଚ୍ଚ ୧୪ରେ ନିଆଁ ଲାଗିଥିଲା । ଉକ୍ତ ନୋଟ ବିଡ଼ା ଷ୍ଟୋର ରୁମରେ ରହିଥିବା ଅଗ୍ନିଶମ ବାହିନୀ ଦେଖିବାକୁ ପାଇଥିଲେ । ନିଆଁ ଲାଗି ଅନେକ ନୋଟ ଜଳିଯାଇଥିଲା ।