spot_img

Latest Posts

ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ସଞ୍ଜୀବ ଖାନ୍ନା । ରାଷ୍ଟ୍ରପତି ଭବନରେ ଜଷ୍ଟିସ ଖାନ୍ନାଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅବସର ପରେ ଦାୟିତ୍ବ ସମ୍ଭାଳିବେ ଜଷ୍ଟିସ ଖାନ୍ନା। ଆସନ୍ତା ବର୍ଷ ମେ ୧୩ ଯାଏ ଦାୟିତ୍ବ ସମ୍ଭାଳିବେ ଜଷ୍ଟିସ ଖାନ୍ନା।  ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ଗତ ୨୦୧୯ ଜାନୁଆରୀ ୧୮ରେ ସେ ଯୋଗଦେଇଥିଲେ । ନିଜ କାର୍ଯ୍ୟକାଳରେ ସେ ଦିଲ୍ଲୀ ମଦନୀତି ମାମଲାରେ ଆପ୍ ନେତା ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କ ଜାମିନ ଆବେଦନର କରିଥିଲେ ଶୁଣାଣି। ଗତ ମେ ମାସରେ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଜଷ୍ଟିସ ଖନ୍ନା। ଜୁଲାଇରେ ବି ତାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ । ସେହିପରି ଭୋଟର ଭେରିଫାଏଡ ପେପର ଅଡିଟ ଟ୍ରେଲସ ବା ଭିଭିପାଟ ପ୍ରସଙ୍ଗରେ ତାଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ୧୦୦ ପ୍ରତିଶତ ଭିଭିପାଟ ଭେରିଫିକେସନକୁ ସେହି ଖଣ୍ଡପୀଠ ରଦ୍ଦ କରିଥିଲା। ଏହା ସହ ଧାରା ୩୭୦ ଓ ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗରେ ବି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଥିଲେ ଜଷ୍ଟିସ ଖନ୍ନା ନେତୃତ୍ବାଧୀନ ଖଣ୍ଡପୀଠ। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଜନ୍ମ ୧୯୬୦ ମେ ୧୪ରେ। ସେ ନୂଆଦିଲ୍ଲୀର ମଡର୍ଣ୍ଣ ସ୍କୁଲରୁ ଶିକ୍ଷାଲାଭ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସେ ଆଇନ ଶିକ୍ଷା ଲାଭ କରିଥିଲେ। ତାଙ୍କ ବାପା ଜଷ୍ଟିସ ଦେବରାଜ ଖନ୍ନା ଥିଲେ ଦିଲ୍ଲୀ ହାଇକୋର୍ଟର ବିଚାରପତି। ୧୯୮୩ରେ ସେ ଦିଲ୍ଲୀ ବାର କାଉନସିଲରେ ଆଡଭୋକେଟ ଭାବେ ଯୋଗ ଦେଇଥିଲେ। ପୂର୍ବତନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଗତ ୨୦୨୨ ନଭେମ୍ବର ୮ରେ ହୋଇଥିଲେ ସିଜେଆଇ।

Latest Posts

Don't Miss