୯୦ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଛୁଆ ବର୍ଗଙ୍କ ହେବ ଡାଟାବେସ୍

Justice Raghunath Biswal assumes charge as OSCBC chairman

ଭୁବନେଶ୍ୱର: ୧୯୩୧ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କ ଡାଟାବେସ୍ ପ୍ରସ୍ତୁତ ହେବ । ତାଲିକାଭୁକ୍ତ ହୋଇନଥିବା ଯୋଗ୍ୟ ଲୋକ ପଛୁଆ ବର୍ଗ ତାଲିକାରେ ସାମିଲ ହେବେ । ଏଥିସହ ତାଲିକାରୁ ବାଦ୍ ପଡ଼ିବେ କ୍ରିମି ଲେୟାର । ଆଜି ରାଜ୍ୟ ପଛୁଆ ବର୍ଗ କମିଶନ୍‌ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା କହିଛନ୍ତି ଜଷ୍ଟିସ୍ ରଘୁନାଥ ବିଶ୍ୱାଳ । କମିଶନ ଅଧ୍ୟକ୍ଷଙ୍କ ସହ ୩ ଜଣ ସଦସ୍ୟ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ରାଜ୍ୟରେ ଓବିସି ପାଇଁ କେତେ ପ୍ରତିଶତ ସ୍ଥାନ ସଂରକ୍ଷିତ ହେବ, ସେ ଦିଗରେ ମଧ୍ୟ କମିଶନ କାର୍ଯ୍ୟ କରିବେ ।

୯୦ ବର୍ଷ ପରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଓବିସିଙ୍କ ଡାଟାବେସ୍ ପ୍ରସ୍ତୁତ ହେବ । ଏନେଇ ଅଣ୍ଟା ଭିଡ଼ିଛି ଓଡ଼ିଶା ପଛୁଆ ବର୍ଗ କମିଶନ । ଖୁବ୍‌ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ । ତାଲିକାଭୁକ୍ତ ହୋଇପାରି ନଥିବା ଯୋଗ୍ୟ ବର୍ଗ ପଛୁଆବର୍ଗ ତାଲିକାରେ ସାମିଲ୍ ହୋଇ ପାରିବେ । କ୍ରିମି ଲେୟାର ବା ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ତାଲିକାରୁ ବାଦ୍ ଦିଆଯିବ ବୋଲି କହିଛନ୍ତି ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ । ଏହାସହ ରାଜ୍ୟରେ ଓବିସିଙ୍କ ପାଇଁ କେତେ ପ୍ରତିଶତ ସ୍ଥାନ ସଂରକ୍ଷିତ ହେବ, ସେନେଇ ଡାଟାବେସ ପ୍ରସ୍ତୁତ ପରେ ବିଚାର କରାଯିବ । ମଣ୍ଡଳ କମିଶନଙ୍କ ସୁପାରିସ୍ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପଛୁଆ ବର୍ଗ କମିଶନର ଅଧ୍ୟକ୍ଷ ।

ଓଡ଼ିଶା ପଛୁଆ ବର୍ଗ କମିଶନ ଆଇନ୍ ୧୯୯୩ ଆଧାରରେ ଗଠନ ହୋଇଛି ପଛୁଆ ବର୍ଗ କମିଶନ । ୧୯୯୩ରେ ପ୍ରଥମ ପଛୁଆ ବର୍ଗ କମିଶନ ଦାୟିତ୍ୱ ନେଇଥିଲେ । ଗତବର୍ଷ ଫେବ୍ରୁଆରୀ ମାସରେ ରାଜ୍ୟ ସରକାର ଓବିସିଙ୍କ ପାଇଁ ସ୍ୱତନ୍ତ୍ର କମିଶନ ଗଠନ କରିଥିଲେ । ଆଜି ଓଏସ୍‌ସିବିସି ଅଧ୍ୟକ୍ଷ ଭାବେ ଜଷ୍ଟିସ ରଘୁନାଥ ବିଶ୍ୱାଳ, ୩ ସଦସ୍ୟ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ଦାୟିତ୍ୱ ନେଇଛନ୍ତି । ପଛୁଆ ବର୍ଗ ଲୋକଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତିର ଅନୁଧ୍ୟାନ କରିବେ କମିଶନ । ଏହାଦ୍ୱାରା ପଛୁଆ ବର୍ଗ ଲୋକଙ୍କ ପ୍ରତି ଚିରାଚରିତ ହେଉଥିବା ଅନ୍ୟାୟ ଦୂର ହେବ । ପଛୁଆ ବର୍ଗ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମଧ୍ୟ କମିଶନ କାର୍ଯ୍ୟ କରିବେ । ପଛୁଆ ବର୍ଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ଜାତି ଭିତ୍ତିରେ ଜନଗଣନା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି । ଏହାଦ୍ୱାରା ପଛୁଆ ବର୍ଗ ଲୋକ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ହକ୍ ପାଇବେ । ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗକୁ ୨୭ ପ୍ରତିଶତ ସଂରକ୍ଷଣ ଦେବା, ସ୍ୱଳ୍ପ ସୁଧରେ ଋଣ ଦେବା ଓ ସେମାନଙ୍କ ବାର୍ଷିକ ଆୟ ବୃଦ୍ଧି ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

Leave a Reply