୧୭ ବର୍ଷ ତଳର ଟଙ୍କା ଜବତ ଘଟଣାରେ ଜଷ୍ଟିସ ନିର୍ମଳ ଯାଦବଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ୧୭ ବର୍ଷ ତଳର ଟଙ୍କା ଜବତ ମାମଲା । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ନିର୍ମଳ ଯାଦବଙ୍କୁ ଆଶ୍ବସ୍ତି । ଚଣ୍ଡିଗଡ଼ରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ନିର୍ମଳ ଓ ଅନ୍ଯ ୩ ଜଣଙ୍କୁ କରିଛନ୍ତି ଦୋଷମୁକ୍ତ । ସେମାନେ ହେଲେ ରବୀନ୍ଦର ସିଂ ଭାସିନ, ରାଜୀବ ଗୁପ୍ତା ଏବଂ ନିର୍ମଳ ସିଂ । ଅନ୍ୟ ଜଣେ ଅଭିଯୁକ୍ତ ସଞ୍ଜୀବ ବନସଲଙ୍କ ହୋଇସାରିଛି ଦେହାନ୍ତ ।

୨୦୦୮ର ବହୁ ଚର୍ଚ୍ଚିତ ବିଚାରପତିଙ୍କ ଘର ଦୁଆରରେ ଟଙ୍କା ମାମଲାର ରାୟ ପ୍ରକାଶ ପାଇଛି । ଅତିରିକ୍ତ ଦୌରାଜଜ ଜଷ୍ଟିସ ଅଳକା ମାଲିକ ଏହି ରାୟ ପ୍ରଦାନ କରିଛନ୍ତି । ଏକ ମିଛ ମାମଲାରେ ନିର୍ମଳଙ୍କୁ ଫସାଇ ଦିଆଯାଇଥିବା କହିଥିଲେ ତାଙ୍କ ଓକିଲ । ୨୦୦୮ ଅଗଷ୍ଟ ୧୩ରେ ଜଷ୍ଟିସ ନିର୍ମଳଜିତ କାଉରଙ୍କ ଘରେ ୧୫ ଲକ୍ଷ ଟଙ୍କାର ଏକ ପ୍ୟାକେଟ ଦିଆଯାଇଥିଲା । ମାତ୍ର ଏହି ଟଙ୍କା ପ୍ରକୃତରେ କାର୍ଯ୍ୟରତ ବିଚାରପତି ଜଷ୍ଟିସ ନିର୍ମଳ ଯାଦବଙ୍କ ଲାଗି ଉଦ୍ଦିଷ୍ଟ ଥିଲା ବୋଲି ଜଣାଯାଇଥିଲା । ଟଙ୍କା ପ୍ୟାକେଟ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଧରି ତଦନ୍ତ କରିଥିଲା । ପରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

ତଦନ୍ତରୁ ଜଣାଯାଇଥିଲା ଯେ ଅତିରିକ୍ତ ଆଡଭୋକେଟ ଜେନେରାଲ ସଞ୍ଜୀବ ବନସାଲ ଏହି ଟଙ୍କାକୁ ପିଅନ ପ୍ରକାଶରାମଙ୍କ ଜରିଆରେ ପଠାଇଥିଲେ । ଦିଲ୍ଲୀରୁ ଏହି ପ୍ୟାକେଟ ଆସିଛି ଓ କିଛି ଡକ୍ୟୁମେଣ୍ଟ ରହିଛି ବୋଲି ପିଅନ କହିବା ପରେ ଜଷ୍ଟିସ ନିର୍ମଳଜିତ ଏହାକୁ ଖୋଲିଥିଲେ । ମାତ୍ର ପ୍ୟାକେଟରୁ ଟଙ୍କା ବାହାରିବା ପରେ ସେ ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାକୁ ନେଇ ୨୦୧୧ ମାର୍ଚ୍ଚ ୪ରେ ଜଷ୍ଟିସ ନିର୍ମଳ ଯାଦବଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାୟର କରିଥିଲା । ସେତେବେଳେ ସେ ଉତ୍ତରାଖଣ୍ଡ ହାଇକୋର୍ଟର ଜଜ୍ ଥିଲେ । ୨୦୦୯ରେ ଜଷ୍ଟିସ ଯାଦବଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ବଦଳି କରାଯାଇଥିଲା । ଜଷ୍ଟିସ ଯାଦବଙ୍କ ଯୁକ୍ତି ଥିଲା ତାଙ୍କ ବିରୋଧରେ କିଛି ବ୍ଯକ୍ତି ଷଡ଼ଯନ୍ତ୍ର କରିଥିଲେ ।