ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତ

1 min read

କଟକ: ଜଷ୍ଟିସ ହରିଶ ଟଣ୍ଡନ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । ଜଷ୍ଟିସ ଟଣ୍ଡନଙ୍କୁ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଜଷ୍ଟିସ୍ ଟଣ୍ଡନଙ୍କ ନିଯୁକ୍ତି ପାଇଁ ସୁପାରିସ ଲାଗି ନିଷ୍ପତ୍ତ ଗ୍ରହଣ କରାଯାଇଥିଲା । ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ଵବିଦ୍ୟାଳୟରୁ ୧୯୮୯ରେ LLB ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍ଟେମ୍ବର ୨୬ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ । ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ | ସେ ସିଟି ସିଭିଲ୍ କୋର୍ଟ, ଡିଆରଟି ଓ ସୁପ୍ରିମକୋର୍ଟ ମଧ୍ୟ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଛନ୍ତି । ଜଣେ ଦକ୍ଷ ତଥା ସୁନାମ ଅର୍ଜନ କରିଥିବା ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ।