ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ: ପୁରୀରେ ପହଁଚି ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାର କଣ କେଉଁଠି ରହିଛି ତାର ଉତ୍କଣ୍ଠା ଭକ୍ତଙ୍କ ମଧ୍ୟରେ ନରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ତେବେ ରତ୍ନଭଣ୍ଡାରର ଭିତର ଭଣ୍ଡାରରୁ ବାହାରିଥିବା ଅଳଙ୍କାର ଗୁଡିକର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି ।

ସେପଟେ ୟୁଟ୍ୟୁବର୍ସଙ୍କ ଉପରେ ମିଥ୍ୟା, ମନଗଢ଼ା ଖବର ପରିବେଷଣ ପାଇଁ ବର୍ଷିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ମୁଖ୍ୟ ବିଶ୍ବନାଥ ରଥ  । ସେ କହିଛନ୍ତି ସଢ଼ା ଖବର ପରିବେଶଣ କରୁଛନ୍ତି କିଛି ୟୁଟ୍ୟୁବର । ରତ୍ନଭଣ୍ଡାର ନାମରେ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ।

ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ମରାମତି ପାଇଁ ହସ୍ତାନ୍ତର କରିବ । ଯେବେ ମରାମତି ପାଇଁ ଏଏସଆଇ ଚାହିଁବ ସେବେ ଆମେ ସମୀକ୍ଷା ଓ ରିପୋର୍ଟ ପ୍ରସ୍ତୁତ ପରେ ଏଏସଆଇକୁ ହସ୍ତାନ୍ତର କରାଯିବ । ମହାପ୍ରଭୁ ରଥରେ ଥିବା ବେଳେ ଆମେ ଦର୍ଶନ କରି ଅନୁମତି ନେଇ ରତ୍ନଭଣ୍ଡାର ଖୋଲିଥିଲୁ ।

ଏବେ ମହାପ୍ରଭୁ ଶ୍ରୀମନ୍ଦିରରେ ଥିବାରୁ ତାଙ୍କର ଦର୍ଶନ କରି ଆଗକୁ କିଭଳି କାର୍ଯ୍ୟ କରିବୁ ସେ ନେଇ ଆଶୀର୍ବାଦ ନେଇଥିବା କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ । ସେପଟେ ରତ୍ନଭଣ୍ଡାର ଭିତର ଅଳଙ୍କାର ଗଣତି ମଣତି ପାଇଁ ଟିମ ଚୟନ କରୁଛନ୍ତି ରାଜ୍ୟ ସରକାର । ଆଉ ତାହା ଭିତର ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ବୋଲି କହିଛନ୍ତି ଜଷ୍ଟିସ ରଥ । ତେବେ ଅଳଙ୍କାରର ଗଣତି ମଣତି ପରେ ତାଲିକା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ।