କେବଳ ପୃଥିବୀରେ ନୁହେଁ, ଅନ୍ୟ ଗ୍ରହରେ ବି ଝଡ଼ ତୋଫାନ ! ସାମ୍ନାକୁ ଆସିଲା ଫଟୋ…

Jupiter

ନୂଆଦିଲ୍ଲୀ: ପୃଥିବୀ ଆମ ସୌର ମଣ୍ଡଳରେ ଏକମାତ୍ର ଗ୍ରହ ନୁହେଁ ଯେଉଁଠି ବିଜୁଳି ଦେଖିବାକୁ ମିଳିଥାଏ । ଝଡ଼ ତୋଫାନ୍‌ ଆସିଲେ ସାଧାରଣତଃ ମେଘ ଫାଟିଥାଏ ଏବଂ ବିଜୁଳି ଦେଖାଯାଇଥାଏ ।

ତେବେ ଏଭଳି ଅନେକ ଗ୍ରହ ରହିଛି ଯେଉଁଠି ଝଡ଼ ତୋଫାନ ସହ ବିଜୁଳି ଦେଖାଯାଇଥାଏ । ବର୍ତ୍ତମାନ ସମୟରେ ଆମ ସୌର ମଣ୍ଡଳର ସବୁଠୁ ବଡ଼ ଗ୍ରହ (ବୃହସ୍ପତି)ରେ ଭୟଙ୍କର ଝଡ଼ ତୋଫାନ୍‌ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ମେଘ ଫାଟି ଜୋରଦାର୍‌‌ ବିଜୁଳି ମଧ୍ୟ ଚମକୁଛି । ଏଠାରେ ଦୁଇ ପ୍ରକାର ବିଜୁଳି ଦେଖିବାକୁ ମିଳିଛି । ଏହି ବିଜୁଳି ଓ ଝଡ଼ ତୋଫାନର କିଛି ଫଟୋ ଏବେ ସାମ୍ନାକୁ ଆସିଛି ।

Jupiter Photo

ଆମେରିକା ସ୍ପେସ୍ ଏଜେନ୍ସି ନାସାର ଜୁନୋ ସ୍ପେସ୍‌ କ୍ରାଫ୍ଟ ଏହି ଭୟଙ୍କର ଝଡ଼ ତୋଫାନ୍‌, ବଜ୍ରପାତ ଏବଂ ଘୂର୍ଣ୍ଣିବାତ୍ୟାର ଫଟୋ ଉଠାଇଛି । ସାଧାରଣ କ୍ୟାମେରା ବ୍ୟତୀତ ଫଟୋଗୁଡ଼ିକ ଇନଫ୍ରାରେଡ୍, ଅଲଟ୍ରାଭାଇଓଲେଟ୍ କ୍ୟାମେରାରେ ମଧ୍ୟ ଉତ୍ତୋଳନ କରାଯାଇଛି ।

ଏହି ଫଟୋଗୁଡ଼ିକୁ ତର୍ଜମା କରି ଦଖିବା ପରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ, ଏଠାରେ ଦୁଇ ପ୍ରକାର ବିଜୁଳି ଦେଖାଯାଇଥାଏ । ନାସାର ବୈଜ୍ଞାନିକମାନେ ଗୋଟିଏର ନାଁ ସ୍ପ୍ରାଇଟ୍ ଦେଇଥିବା ବେଳେ ଅନ୍ୟଟିର ନାମ ଏଲ୍‌ଭ୍‌ସ ରଖିଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଏହି ଝଡ଼ ତୋଫାନ ତଥା ବିଜୁଳିର ଗର୍ଜନ ବାୟୁମଣ୍ଡଳ ବାହାରେ ହିଁ ଦେଖିବାକୁ ମିଳିଛି । ଯେଉଁ କାରଣରୁ ଅନ୍ତରୀକ୍ଷରେ ଆଲୋକ ଦେଖାଯାଇଛି ।

ସ୍ପ୍ରାଇଟ୍ ବିଜୁଳିର ଶକ୍ତି ଏତେ ଯେ, ଏହା ଶହ ଶହ କିଲୋମିଟର ଦୂରରୁ ମଧ୍ୟ ବାରି ହୋଇ ପଡ଼ୁଛି । ଏକ ସ୍ପଟ ଲାଇଟ୍‌ ଭଳି ତାହା ଦେଖାଯାଉଛି । ସେହିଭଳି ଏଲ୍‌ଭ୍‌ସ୍ ବାୟୁମଣ୍ଡଳ ଉପରେ ଶହ ଶହ କିଲୋମିଟର ବିସ୍ତାର ହୋଇ ରହିଥିବା ଦେଖାଯାଉଛି । ଏଥିରେ ଛୋଟ ଛୋଟ ସ୍ପାର୍କ ଦେଖାଯାଇଥାଏ । ଏହାର ଅର୍ଥ ଅନେକ ସ୍ଥାନରେ ଏକ ସହିତ ବିଜୁଳି ମାରୁଛି । ମେଘ ତଳେ ଏବଂ ଉପରେ ଉଜ୍ଜ୍ୱଳ ଆଲୋକ ଦେଖାଯାଉଛି ।

Jupiter Photo

ନାସାର ବୈଜ୍ଞାନିକମାନେ ଯେତେବେଳେ ଏନେଇ ଅଧିକ ରିସର୍ଚ୍ଚ କରିଥିଲେ ସେତେବଳେ ଜାଣିବାକୁ ପାଇଥିଲେ ଯେ, ବାୟୁମଣ୍ଡଳରେ ଥିବା ନାଇଟ୍ରୋଜେନ୍ କଣିକା ଅନ୍ୟ ଗ୍ୟାସ୍ ସହିତ ଧକ୍କା ହେବାରୁ ଏଭଳି ବିଜୁଳି ସୃଷ୍ଟି ହେଉଛି । ୨୦୧୬ ରୁ ୨୦୨୦ ମଧ୍ୟରେ, ଜୁନୋ ସ୍ପେସ୍‌ କ୍ରାଫ୍ଟ ବୃହସ୍ପତି ଗ୍ରହରେ ୧୧ଟି ବଡ଼ ବଜ୍ରପାତ ରେକର୍ଡ କରିଛି । ଏହି ବଜ୍ରପାତର କ୍ଷେତ୍ରଫଳ ଅପେକ୍ଷାକୃତ ବୃହତ୍ତର ।

Jupiter Photo

ଏହି ଝଡ, ବଜ୍ରପାତ ଏବଂ ମେଘ ଉପରେ ଅଧ୍ୟୟନର ରିପୋର୍ଟଗୁଡିକ ଜିଓଫିଜିକାଲ୍ ରିସର୍ଚ୍ଚ: ‘ପ୍ଲାନେଟ୍‌ସ’ରେ ପ୍ରକାଶ ପାଇଛି । ଏହାକୁ ଲେଖିଥିବା ଲେଖକ ତଥା ବୈଜ୍ଞାନିକ ରୋହିଣୀ ଜିଲ୍ସ କହିଛନ୍ତି ଯେ, ତାଙ୍କ ପାଖରେ ଏଭଳି ବଜ୍ରପାତର ଅନେକ ପ୍ରକାର ପ୍ରମାଣ ରହିଛି । ସେଗୁଡ଼ିକ ଅତ୍ୟନ୍ତ ଚମତ୍କାର ଦେଖାଯାଏ । ବୃହସ୍ପତି ଗ୍ରହର ଭୂପୃଷ୍ଠ ଏବଂ ବାୟୁମଣ୍ଡଳଠାରୁ ଏହି ଆଲୋକଗୁଡିକ ଶହ ଶହ କିଲୋମିଟର ଉପରେ ଦୃଶ୍ୟମାନ ହୁଏ ।

Jupiter Photo

ରୋହିଣୀ କହିଛନ୍ତି ଯେ, ଜୁନୋ ମହାକାଶଯାନରୁ ବୃହସ୍ପତି ଗ୍ରହ ଏହି ଫଟୋଗୁଡ଼ିକ ବହୁତ ଦୂରରୁ ଉତ୍ତୋଳନ କରାଯାଇଛି । ଯେତେବେଳେ ଏହା ଆହୁରି ନିକଟରୁ ଉତ୍ତୋଳନ କରାଯିବ ସେତେବେଳେ, ଆହୁରି ଆଶ୍ଚର୍ଯ୍ୟକର ଫଟୋ ସାମ୍ନାକୁ ଆସିବ । ଏହାସହ ତାଙ୍କୁ ଗଭୀର ଅଧ୍ୟୟନ କରିବାକୁ ମଧ୍ୟ ସୁଯୋଗ ମିଳିବ । ଏହାସହ ବୃହସ୍ପତି ଗ୍ରହର ବାୟୁମଣ୍ଡଳ ବିଷୟରେ ଅଧିକ ତଥ୍ୟ ଜାଣିବାରେ ସହାୟକ ହେବ ।

Jupiter Photo

Leave a Reply