ସିନିୟର ଛାତ୍ରଙ୍କ ରାଗିଂରେ ଜୁନିୟର ଛାତ୍ର ଲହୁଲୁହାଣ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ୍ ଧରିଲେ ଅଭିଭାବକ
ବଲାଙ୍ଗିର: ସ୍କୁଲରେ ଛାତ୍ରଙ୍କୁ ରାଗିଂ । ଜୁନିୟରଙ୍କୁ ରାଗିଂ କରୁଛନ୍ତି ସିନିୟର । ଥାନାରେ ପହଞ୍ଚିଲା ମାମଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ । ସର୍ବସାଧାରଣରେ କ୍ଷମା ମାଗିଲ ସଂପୃକ୍ତ ଛାତ୍ର । କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ଜିଦ୍ । ବଲାଙ୍ଗୀର ସୋନପୁର ରାସ୍ତା ଡୁମେରବାହାଲ ଗାଁରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରୁ ଆସିଛି ଏପରି ଗୁରୁତର ଅଭିଯୋଗ । ଯୁକ୍ତ ଦୁଇର ଛାତ୍ରମାନେ ହଷ୍ଟେଲରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ୮ ରୁ ୯ ଜଣ ଛାତ୍ର ଅଭିଯୋଗ କରିଛନ୍ତି । ଏନେଇ ପୁଇଁତଳା ଥାନାରେ ଏତଲା ଦେଇଛନ୍ତି ଅଭିଭାବକ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ବ୍ୟାପକ ଅବହେଳାରୁ ଏପରି ଘଟଣା ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଘଟଣା ପରେ ପିଲାଙ୍କୁ ଆଉ ସ୍କୁଲରେ ଆଉ ଛାଡିବେନି ବୋଲି କହିଛନ୍ତି ଅଭିଭାବକ ।
ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ଘଟଣାର ତଦନ୍ତ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ । ସ୍କୁଲରେ ପୁଇଁତଳା ବିଡିଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତରେ ତଦନ୍ତ ଆରମ୍ଭ ହୋଇଛି । ସ୍କୁଲ କର୍ତ୍ତୁପକ୍ଷ ଓ ସ୍କୁଲ ପରିଚାଳନା କମିଟି ବୈଠକରେ ପୀଡିତ ଛାତ୍ର ଓ ରାଗିଂ କରିଥିବା ଛାତ୍ରମାନଙ୍କୁ ସାମ୍ନାସାମ୍ନି ରଖି ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତରୁ ଦୀର୍ଘ ଦିନରୁ ରାଗିଂ ଚାଲିଥିବା ଜଣାପଡ଼ିଛି । ସମ୍ପୃକ୍ତ ଛାତ୍ରମାନେ ନିଜ ଭୁଲ ସ୍ୱୀକାର କରିବା ସହ ସମସ୍ତଙ୍କ ସାମନାରେ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଇନର ଆଶ୍ରୟ ନେବେ ବୋଲି ଜିଦ ଧରିଛନ୍ତି ଅଭିଭାବକ । ଘଟଣା ପରେ ହରଡଘଣାରେ ପଡ଼ିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।