୨୪ରୁ ରାଜଧାନୀରେ ପୁଣି ହକି ମହାକୁମ୍ଭ
1 min readଭୁବନେଶ୍ବର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ବିଶ୍ୱକପ୍ର କ୍ରୀଡ଼ାସୂଚୀ ଘୋଷଣା କରିଛି ।
୧୬ଟି ଦଳକୁ 4 ଟି ପୁଲରେ ଭାଗ କରାଯାଇଛି । ଆୟୋଜକ ଭାରତ ପୁଲ୍ ବି‘ରେ ରହିଛି । ନଭେମ୍ବର ୨୪ ତାରିଖରେ ମୋଟ୍ ୫ଟି ମ୍ୟାଚ୍ ରହିଥିବାବେଳେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ ଭାରତ-ଫ୍ରାନ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ପୁଲ ରାଉଣ୍ଡରୁ ଫାଇନାଲ ପର୍ଯ୍ୟନ୍ତ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବା । ଫାଇନାଲ ମ୍ୟାଚ୍ ଡିସେମ୍ବର ୫ ତାରିଖରେ ହେବ ।
ନଭେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଲ ପର୍ଯ୍ୟାୟ, ୩୦ ତାରିଖରେ ୯ମରୁ ୧୬ତମ ସ୍ଥାନ ପାଇଁ ମ୍ୟାଚ୍, ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୨ ତାରିଖରେ ପୋଜିସନ୍ ମ୍ୟାଚ୍, ଡିସେମ୍ବର ୩ ତାରିଖରେ ସେମି ଫାଇନାଲ, ଡିସେମ୍ବର ୪ ତାରିଖରେ ପୋଜିସନ୍ ଏବଂ ୫ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
କିଏ କେଉଁ ପୁଲରେ ?
ପୁଲ୍ ଏ: ୨୦୧୬ ସଂସ୍କରଣର ରନର୍ସଅପ୍ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ।
ପୁଲ୍ ବି: ଡିଫେଣ୍ଡିଂ ଚାମ୍ପିଅନ ଭାରତ, କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ ।
ପୁଲ୍ ସି: କୋରିଆ, ନେଦରଲାଣ୍ଡସ, ସ୍ପେନ ଓ ଆମେରିକା ।
ପୁଲ୍ ଡି: ଆର୍ଜେଣ୍ଟିନା, ଜର୍ମାନୀ, ପାକିସ୍ତାନ ଓ ଇଜିପ୍ଟ ।
ପୁଲ ଡି’ ମ୍ୟାଚଗୁଡ଼ିକ ସଂଘର୍ଷ ପୂର୍ଣ୍ଣ ହେବ । କାରଣ ଏହି ପୁଲରେ ଶକ୍ତିଶାଳୀ ଆର୍ଜେଣ୍ଟିନା ସହ ଜର୍ମାନୀ ଓ ପାକିସ୍ତାନ ଅଛନ୍ତି । ୩ ଦଳ ଶକ୍ତିଶାଳୀ ହୋଇଥିବାରୁ କ୍ୱାର୍ଟରକୁ ଯିବାକୁ ସମେସ୍ତ ଦମ ଲଗାଇ ଦେବେ ।