ଜୁନିଅର ହକି ବିଶ୍ୱକପ: କାଂସ୍ୟ ପାଇଁ ଲଢ଼େଇ କରିବ ଟିମ୍ ଇଣ୍ଡିଆ

1 min read

ଭୁବନେଶ୍ୱର: ସୁପର ସଣ୍ଡେରେ ସୁପର ଫାଇଟ । ରବିବାର ଜୁନିଅର ହକି ବିଶ୍ୱକପରେ ହେବାକୁ ଯାଉଛି ମହାମୁକାବିଲା । ଜୁନିଅର ହକି ବିଶ୍ୱକପର ଫାଇନାଲ ଫାଇଟରେ ଟର୍ଫକୁ ଓହ୍ଲାଇବେ ଶକ୍ତିଶାଳୀ ଜର୍ମାନୀ ଓ ଆର୍ଜେଣ୍ଟିନା । ବିଶ୍ୱକପ ଜିତିବା ପାଇଁ ମୁହାଁମୁହିଁ ହେବେ ଏହି ଦୁଇ ଦଳ । ଚଳିତ ବିଶ୍ୱକପରେ ଅପରାଜୟ ଥିବା ଜର୍ମାନୀ ଫାଇନାଲ ମ୍ୟାଚରେ ମଧ୍ୟ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ଜୁନିଅର ବିଶ୍ୱକପ ଇତିହାସରେ ୬ ଥର ଚମ୍ପିଆନ ହୋଇସାରିଛି ଜର୍ମାନୀ । ତେବେ ୬ ଥର ବିଶ୍ୱ ବିଜେତା ହୋଇଥିବା ଜର୍ମାନୀ ଚଳିତ ବିଶ୍ୱକପକୁ ଜିତି ସପ୍ତମ ଥର ପାଇଁ ବିଶ୍ୱକପ ଟ୍ରଫି ଉଠାଇବାକୁ ରବିବାର ଟର୍ଫକୁ ଓହ୍ଲାଇବ ।

ଅନ୍ୟପକ୍ଷରେ ଆର୍ଜେଣ୍ଟିନା ମଧ୍ୟ ଚଳିତ ବିଶ୍ୱକପକୁ ଜିତି ୧୬ ବର୍ଷର ଅପେକ୍ଷାର ଅନ୍ତ ଘଟାଇବାକୁ ଚେଷ୍ଟା କରିବ। ଜୁନିଅର ହକି ବିଶ୍ୱକପ ଇତିହାସରେ ୨୦୦୫ରେ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା ବିଶ୍ୱକପ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ଏହାପରେ ଆଉ କେବେ ବି ସେମିଫାଇନାଲକୁ ଯାଇପାରିନଥିଲା ଆର୍ଜେଣ୍ଟିନା । ତେବେ ଚଳିତ ବିଶ୍ୱକପରେ ଫାଇନାଲରେ ପହଞ୍ଚିବା ପରେ ଟ୍ରଫି ଜିତିବାକୁ ପ୍ରାଣପ୍ରଣେ ଉଦ୍ୟମ କରିବ ଆର୍ଜେଣ୍ଟିନା । ଜର୍ମାନୀର ବିଜୟ ରଥକୁ ଅଟକାଇବା ପାଇଁ ସ୍ୱତନ୍ତ୍ର ରଣ କୌଶଳ ସହ କଳିଙ୍ଗର ବ୍ଲୁ ଟର୍ଫକୁ ଓହ୍ଲାଇବ ଆର୍ଜେଣ୍ଟିନା ।

ଅନ୍ୟପଟେ ସେମିଫାଇନାଲରେ ଜର୍ମାନୀଠାରୁ ୪-୨ରେ ପରାଜୟ ପରେ ରବିବାର କାଂସ୍ୟ ପଦକ ପାଇଁ ଖେଳିବ ଟିମ୍ ଇଣ୍ଡିଆ । ରବିବାର ପ୍ରଥମ ମ୍ୟାଚରେ କାଂସ୍ୟ ପଦକ ପାଇଁ କଳିଙ୍ଗର ବ୍ଲୁ ଟର୍ଫରେ କମାଲ କରିବା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ । କାଂସ୍ୟ ପଦକ ମ୍ୟାଚରେ ଫ୍ରାନ୍ସକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଭାରତୀୟ ସମୟ ୪.୩୦ରେ ଖେଳାଯିବ । ଏହି ମ୍ୟାଚରେ ଫ୍ରାନ୍ସକୁ ହରାଇ କାଂସ୍ୟ ପଦକ ଜିତିବା ପାଇଁ ସ୍ବତନ୍ତ୍ର ରଣନିତୀ ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ ।

 

Leave a Reply